ଆଧାର କାର୍ଡରେ ତ୍ରୁଟି ଯୋଗୁଁ ମନରେଗା ଯୋଜନାରେ କାମ କରି ୬ ମାସ ହେଲା ମିଳୁନି ମଜୁରୀ

ପାଟଣା,ଏନ୍ଏନ୍ଏସ୍: ପାଟଣା ବ୍ଲକ ଅନ୍ତର୍ଗତ ବଡ ପାଟଣା ଗ୍ରାମ ପଞ୍ଚାୟତର ସୁଆମ ଗ୍ରାମର ମୁଣ୍ଡା ସାହିର ଦିନ ମଜୁରିଆ ମନୋରେଗା ଯୋଜନାରେ ଆଜିକୁ ୬ ମାସ ହେବ କାମ କରି ପାରିଶ୍ରମିକ ପାଇନାହାନ୍ତି। ଏନେଇ ସେ ପାଟଣା ବିଡ଼ିଓଙ୍କ ନିକଟରେ ଫେରାଦ ହୋଇ ଅଭିଯୋଗ କରିଥିବା ଜଣାପଡ଼ିଛି। ସୂଚନା ମୁତାବକ ସୁଆମ ମୁଣ୍ଡା ସାହିର ଦିନ ମଜୁରିଆ ଜଗନ ମୁଣ୍ଡା ନିଜ ଗ୍ରାମରେ ମନୋରେଗା କାର୍ଯ୍ୟରେ ୧୩ ସପ୍ତାହ ଧରି କାମ କରିଥିଲେ। ଏ ବାବଦକୁ ମଜୁରୀ ପାଖାପାଖି ୧୮୦୦୦ ହଜାର ଟଙ୍କା ହେବ ବୋଲି କହିଛନ୍ତି।

ମନୋରେଗାର ନିୟମ ଅନୁଯାୟୀ କାମ କରିଥିବା ମଜୁରୀ ବ୍ୟାଙ୍କ ଆକାଉଣ୍ଟକୁ ଯିବା କଥା, କିନ୍ତୁ ଆଜି ପର୍ଯ୍ୟନ୍ତ ଟଙ୍କାଟିଏ ହେଲେ ମଜୁରୀ ତାଙ୍କ ଆକାଉଣ୍ଟକୁ ଆସିନଥିବା ଜଗନ ମୁଣ୍ଡା ଅଭିଯୋଗ କରିଛନ୍ତି। ଏ ବାବଦରେ ପାଟଣା ବ୍ଲକ ଏପିଓ ଏବଂ ପଞ୍ଚାୟତ ଜିଆରଏସଙ୍କ ପାଖକୁ ବହୁବାର ଯିବା ପରେ ମଧ୍ୟ କୌଣସି ସୁଫଳ ନମିଳିବାରୁ ଆଜି ଦ ପାଟଣା ବିଡିଓଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି। ଏ ବାବଦରେ ପାଟଣା ଏପିଓଙ୍କ ମତାମତ ନେବାକୁ ଯୋଗାଯୋଗ କରାଯାଇଥିଲେ ହେଁ ଯୋଗାଯୋଗ ସମ୍ଭବପର ହୋଇପାରି ନଥିଲା। ତାଙ୍କର ଆଧାର କାର୍ଡ ରେ ତ୍ରୁଟି ଯୋଗୁଁ ଜମା ଖାତାକୁ ଟଙ୍କା ଯାଇ ପାରୁ ନଥିବା କହିଛନ୍ତି ପାଟଣା ବିଡିଓ ଈଶ୍ୱର ଚନ୍ଦ୍ର ନାଏକ।