ବିହାରରେ ୯ଟି ରାଜପଥ ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,ଏଜେନ୍ସି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଭିଡିଓ କନଫରେନ୍ସିଂ ଜରିଆରେ ବିହାରରେ ୯ଟି ରାଜପଥ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ପ୍ରକଳ୍ପରେ ୧୪,୨୫୮ କୋଟି ଟଙ୍କା ବିନିଯୋଗ କରାଯିବ। ପ୍ରକଳ୍ପ ଅଧୀନରେ ୩୫୦ କିଲୋମିଟର ଦୀର୍ଘ ରାଜପଥ ନିର୍ମାଣ ହେବ। ଏହା ବ୍ୟତୀତ ୩୯ କିଲୋମିଟର ଦୀର୍ଘ ପାଟନା ରିଙ୍ଗରୋଡ୍‌କୁ ୬ ଲେନ୍ ବିଶିଷ୍ଟ କରାଯିବ। ୩୧ ନମ୍ବର ଜାତୀୟ ରାଜପଥର ବଖତିଆରପୁର-ରାଜୌଲି ସେକ୍ସନ ଏବଂ ୧୩୧-ଏ ଜାତୀୟ ରାଜପଥର ନରେନ୍‌ପୁର-ପୁର୍ଣ୍ଣିୟା ସେକ୍ସନକୁ ୪ ଲେନ୍‌ବିଶିଷ୍ଟ କରାଯିବ। ଏହି ରାଜପଥ ପ୍ରକଳ୍ପ ନିର୍ମାଣ ହେଲେ ବିହାରରେ ଉତ୍ତମ ସଡକ ସଂଯୋଗ ସୁବିଧା ଉପଲବ୍ଧ ହେବା ସହ ଅର୍ଥନୈତିକ ଅଭିବୃଦ୍ଧି ତ୍ୱରାନ୍ୱିତ ହେବ।

ପଡୋଶୀ ରାଜ୍ୟ ଉତ୍ତରପ୍ରଦେଶ ଓ ଝାଡଖଣ୍ଡକୁ ମାଲ ପରିବହନ ଓ ଗମନାଗମନ ବ୍ୟବସ୍ଥାରେ ମଧ୍ୟ ଉନ୍ନତି ହେବ। ପ୍ରଧାନମନ୍ତ୍ରୀ ବିହାରର ମୌଳିକ ଢାଞ୍ଚା ବିକାଶ ପାଇଁ ୨୦୧୫ରେ ଏକ ସ୍ୱତନ୍ତ୍ର ସହାୟତା ବିଷୟ ଘୋଷଣା କରିଥିଲେ। ସେଥିମଧ୍ୟରେ ୫୪,୦୦୭ କୋଟି ଟଙ୍କା ସମ୍ବଳିତ ୭୫ଟି ପ୍ରକଳ୍ପ ଥିଲା। ସେଗୁଡିକ ମଧ୍ୟରୁ ୧୩ଟି ପ୍ରକଳ୍ପର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି ଏବଂ ୩୮ଟି ପ୍ରକଳ୍ପର କାର୍ଯ୍ୟ ଚାଲିଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ୩ଟି ବୃହତ୍ତ ସେତୁ ମଧ୍ୟ ଉଦ୍‌ଘାଟନ କରିଛନ୍ତି। ଏହାଛଡ଼ା ଗଙ୍ଗା ନଦୀ ଉପରେ ସେତୁଗୁଡିକର ସଂଖ୍ୟା ୧୭କୁ ବୃଦ୍ଧିପାଇଛି। ପ୍ରଧାନମନ୍ତ୍ରୀ ଅପ୍ଟିକାଲ ଫାଇବର ଇଣ୍ଟରନେଟ୍ ସେବାକୁ ମଧ୍ୟ ଉଦ୍‌ଘାଟନ କରିଛନ୍ତି। ଏହି ନେଟ୍‌ୱାର୍କ ଯୋଗୁଁ ବିହାରର ୪୫,୯୪୫ଟି ଗ୍ରାମକୁ ଅପ୍ଟିକାଲ ଫାଇବର ଇଣ୍ଟରନେଟ୍ ସେବା ସମ୍ଭବ ହେବ।