ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲାର ସଦର ମହକୁମାସ୍ଥିତ ସରକାରୀ ଆଦର୍ଶ ସ୍ନାତକ ମହାବିଦ୍ୟାଳୟ ଠାରେ ଆଜି ସି.ୟୁ.ସି.ଇ.ଟି ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି। ଏହି ପରୀକ୍ଷା ଗତ ଶୁକ୍ରବାରଠାରୁ ଆରମ୍ଭ ହୋଇ ଆଜି ଶେଷ ହୋଇଛି। ଏଥିପାଇଁ ଜିଲ୍ଲାର ମୋଟ ୫୧୦ ଜଣ ଆବେଦନ କରିଥିବା ବେଳେ ସେଥିମଧ୍ୟରୁ ୩ ଶହରୁ ଊର୍ଦ୍ଧ୍ୱ ପରୀକ୍ଷା ଦେଇଛନ୍ତି। ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ ଦେଶର ୧୪ଟି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଓ ରାଜ୍ୟର ୪ଟି ବିଶ୍ୱବିଦ୍ୟାଳୟରେ ଛାତଛାତ୍ରୀମାନେ ବିଭିନ୍ନ ବିଷୟରେ ପାଠ ପଢ଼ିବାର ସୁଯୋଗ ପାଇବେ।
ଦେଶର ୧୪୧ଟି ସହର ଓ ରାଜ୍ୟର ୧୩ଟି ସହରରେ ଏହି ପରୀକ୍ଷା ଅନୁଷ୍ଠିତ ହୋଇଛି। କରୋନା ମହାମାରୀ ନିୟମକୁ ପାଳନ କରାଯାଇ ଏହା ପରିଚାଳନା କରାଯାଇଛି। ସରକାରୀ ଆଦର୍ଶ ସ୍ନାତକ ମହାବିଦ୍ୟାଳୟରେ କେନ୍ଦ୍ରୀୟ ପରୀକ୍ଷା ପରିଚାଳକ ଭାବେ ଡ. ଚନ୍ଦନ ମିଶ୍ର ପରୀକ୍ଷାକୁ ସୂଚାରୁ ରୂପେ ପରିଚାଳନା କରିଥିଲେ। ଏଥିରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ସହଯୋଗ କରିଥିଲେ। ଏଥିରେ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କର୍ତ୍ତୃପକ୍ଷ ମଧ୍ୟ ଉପସ୍ଥିତ ଥିଲେ। ଜିଲ୍ଲା ପ୍ରଶାସନ ଓ ପୁଲିସ ପକ୍ଷରୁ ସମସ୍ତ ସହଯୋଗ ଯୋଗାଇ ଦିଆଯାଇଥିଲା।