ନୂଆଦିଲ୍ଲୀ,ଏଜେନ୍ସି: ବ୍ରିକ୍ସ ସମୂହ ଦେଶର ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତାଙ୍କ ଅନୁଷ୍ଠିତ ବୈଠକରେ ଆତଙ୍କବାଦୀ ବିରୋଧୀ ରଣନୀତି ପ୍ରସ୍ତୁତ ହୋଇଛି। ବ୍ରାଜିଲ, ରୁଷିଆ, ଭାରତ, ଚୀନ ଓ ଦକ୍ଷିଣ ଆଫ୍ରିକା (ବିକ୍ସ)ର ସୁରକ୍ଷା ପରାମର୍ଶଦାତା ଏହି ବୈଠକରେ ବିଶ୍ୱ, ଆଞ୍ଚଳିକ ଏବଂ ରାଷ୍ଟ୍ରୀୟ ସୁରକ୍ଷା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଛନ୍ତି। ଭାରତର ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଏହି ମିଟିଂରେ ସାମିଲ ହୋଇଛନ୍ତି।
ରୁଷିଆ ପକ୍ଷରୁ ଜାରି ଏକ ବୟାନରେ କୁହାଯାଇଛି ଯେ, ବ୍ରିକ୍ସ ୫ ଦେଶ ଆତଙ୍କବାଦୀ ବିରୋଧୀ ରଣନୀତି ପ୍ରସ୍ତୁତ କରିଛି। ଏହାକୁ ଅନୁମୋଦନ ଲାଗି ଆସନ୍ତା ବ୍ରିକ୍ସ ସମ୍ମିଳନୀରେ ଉପସ୍ଥାପନ କରାଯିବ। ଏହି ଡ୍ରାଫ୍ଟ ରଣନୀତିରେ କୁହାଯାଇଛି ଯେ, କୌଣସି ଦେଶ ଅନ୍ୟ ଦେଶର ଆଭ୍ୟନ୍ତରୀଣ ମାମଲାରରେ ହସ୍ତକ୍ଷେପ କରିପାରିବ ନାହିଁ। କାରଣ ଅନ୍ୟର ଅଖଣ୍ଡତାକୁ ସମ୍ମାନ ଜଣାଇବାକୁ ହେବ। ଏହି ଡ୍ରାଫ୍ଟରେ ସୁରକ୍ଷା ମାମଲାରେ ଅନ୍ତର୍ଜାତୀୟ ଆଇନର ପାଳନ ଓ ସଂଯୁକ୍ତ ରାଷ୍ଟ୍ରର କେନ୍ଦ୍ରୀୟ ଭୂମିକାକୁ ପ୍ରାଥମିକତା ଦିଆଯାଇଛି।