ବାଲିଗୁଡା,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଏବେ ନାଲି ଫ୍ୟୁଜ ନିଶାରେ ଯୁବଗୋଷ୍ଠୀ। ଯଦି ଆପଣଙ୍କ ପାଖରେ ୧୯୯୪-୯୫ ମସିହାର ଯଦି ଟିଭି କିମ୍ବା ରେଡିଓ ଅଛି ତେବେ ଆପଣ ଲକ୍ଷପତି ହୋଇଯିବେ। ଏହି ଟିଭି ଓ ରେଡିଓରେ ବାହାରୁଥିବା ଏକ ନାଲିରଙ୍ଗର ଫ୍ୟୁଜ ଦେଲେ ମୋଟା ଅଙ୍କର ଟଙ୍କା ମିଳିବ। ଏହିଭଳି ଲୋକଙ୍କ ପାଖରୁ ଫୋନକଲ ଆସୁଥିବା କୁହାଯାଉଛି। କମ ସମୟରେ ଅଧିକ ଅର୍ଥ ପାଇବା ଆଶାରେ ସମସ୍ତେ ଏହି ନାଲିଫ୍ୟୁଜ ଖୋଜିବାରେ ପାଗଳ । ତେବେ ଏହା ସତ ନା ଗୁଜବ ତାହା ସ୍ପଷ୍ଟ ହୋଇନାହିଁ। କିଛିବର୍ଷ ଭିତରେ ଗୁପ୍ତଧନ କାରବାର ଜୋରସୋରରେ ଚାଲିଥିଲା। କମ ସମୟ ଭିତରେ ଲକ୍ଷ ଲକ୍ଷ ଟଙ୍କା ପାଇବା ଆଶା ଲୋକଙ୍କୁ କାଙ୍ଗାଳ କରିଦେଉଥିବା ମଧ୍ୟ ଦେଖିବାକୁ ମିଳିଛି। ହନୁମାନ ପଇସା, ପୁରୁଣା ନୋଟ ଦେଲେ ଲକ୍ଷ ଲକ୍ଷ ଟଙ୍କା ଦେବା ଆଶା ଦେଖାଇ ଏହି କାରବାର ଚାଲିଥିବାବେଳେ ଏହାକୁ ନେଇ ଅନେକ ଅପରାଧିକ ମାମଲା ମଧ୍ୟ ସାମ୍ନାକୁ ଆସିଥିଲା। ତେବେ ଗତ ଏକ ମାସ ହେଲା ନାଲିଫ୍ୟୁଜ ଖୋଜିବାରେ ବ୍ୟସ୍ତ ଅଛନ୍ତି କିଛି ଲୋକ। ଏହି ଲୋକମାନଙ୍କ କହିବା ଅନୁସାରେ ୧୯୯୪-୯୫ ମସିହାରେ ତିଆରି ହୋଇଥିବା ଟିଭି ଓ ରେଡିଓର ସାର୍କିଟରେ ଏକ ଫ୍ୟୁଜ ଲଗାଯାଇଥିଲା ଯାହାକି ନାଲିରଙ୍ଗର ବୋଲି କୁହାଯାଉଛି। ଏହା ପାଖକୁ ରସୁଣ ନେଲେ ତାହା ଜଳିଉଠିବ। ଦର୍ପଣରେ ଏହାକୁ ଦେଖାଇଲେ ତାହା ଧଳା ଦେଖାଯିବ। କିଛି ଏହିଭଳି କଥା କହି ଏହି ଫ୍ୟୁଜ ସଂଗ୍ରହ କରିବା ପାଇଁ ଲୋକଙ୍କୁ କୁହାଯାଉଛି। ଏହା ଅତ୍ୟନ୍ତ ମୂଲ୍ୟବାନ ମର୍କୁରୀ ହୋଇଥିବାରୁ ଏହାର ଦାମ କୋଟିଏ ଟଙ୍କା ବୋଲି ଏହି କାରବାରର ଦଲାଲି କରୁଥିବା ଦଲାଲମାନେ କହିବୁଲୁଛନ୍ତି। ଏହି ନାଲିଫ୍ୟୁଜ ଦେଲେ ସେମାନଙ୍କୁ ୧୦ ରୁ ୨୦ ଲକ୍ଷ ଟଙ୍କା ଦେବା ପାଇଁ ମଧ୍ୟ କୁହାଯାଉଛି। ତେବେ ଏହା ସତ୍ୟରେ ମୂଲ୍ୟବାନ ନା ଏହା ପଛରେ ଆଉ କିଛି କାରଣ ଅଛି ତାହା ସ୍ପଷ୍ଟ ହୋଇନାହିଁ। ଏନେଇ ଅନେକ ଭାଇରାଲ ଭିଡିଓ ମୋବାଇଲ ରୁ ମୋବାଇଲ ଘୁରିବୁଲୁଛି। ଏମିତିରେ ଏହି ନାଲିଫ୍ୟୁଜ ସଂଗ୍ରହ କରିବା ପାଇଁ ପୁରୁଣା ଟିଭି ରେଡିଓ ମରାମତି ଦୋକାନରେ ଭିଡ ଦେଖିବାକୁ ମିଳିଛି।