ପାରାଦୀପ,ଏନ୍ଏନ୍ଏସ୍: ପାରାଦୀପ ସ୍ଥିତ ଇଫକୋ ସାର କାରଖାନା ଆଗରେ ଉତ୍ତେଜନା ଲାଗିରହିଛି। ଜିପସମ୍ ପରିବହନକୁ ନେଇ ବିବାଦ ଦେଖା ଦେବାପରେ ରାସ୍ତାକୁ ଓହ୍ଲାଇଛି ପାରାଦୀପ ମିଳିତ ଟ୍ରକ୍ ମାଲିକ ସଂଘ। ଜିପସମ୍ ପରିବହନର କାର୍ଯ୍ୟାଦେଶ ପାଇଥିବା ସଂସ୍ଥାକୁ ବିରୋଧ କରି ରାସ୍ତାକୁ ଓହ୍ଲାଇଛନ୍ତି ଶତାଧିକ ଟ୍ରକ ମାଲିକ। ଇଫକୋ ସାର କାରଖାନା ଫାଟକ ଆଗରେ ପ୍ରତିବାଦ କରିବା ପରେ ଉତ୍ତେଜନା ପରିସ୍ଥିତି ଦେଖାଦେଇଛି। ସ୍ଥିତି ନିୟନ୍ତ୍ରଣକୁ ଆଣିବାକୁ ୨ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି। ପ୍ରତିବାଦ ସମୟରେ କୋଭିଡ୍ କଟକଣାକୁ ପାଳନ କରାଯାଉନଥିବା ଦେଖିବାକୁ ମିଳିଛି।
ପାରାଦୀପ ମିଳିତ ଟ୍ରକ୍ ମାଲିକ ସଂଘ ଅଭିଯୋଗ କରିଛି ଯେ, ଆଗରୁ ସଂଘର ଶହ ଶହ ଟ୍ରକ କାରଖାନା ସାମଗ୍ରୀ ପରିବହନରେ ଲାଗୁଥିଲା। କିନ୍ତୁ ଚଞ୍ଚକତା କରି ଇଫକୋ କମ୍ପାନୀ ନିରାକାର କନଷ୍ଟ୍ରକସନକୁ କାର୍ଯ୍ୟାଦେଶ ଦେବା ପରେ ଏପରି ସ୍ଥିତି ଦେଖାଦେଇଛି। କମ୍ପାନୀ ସଂଘର ଗାଡିକୁ ପରିବହନ ଅନୁମତି ନଦେବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ପାରାଦୀପ ମିଳିତ ଟ୍ରକ ମାଲିକ ସଂଘ ଚେତାବନୀ ଦେଇଛି। ସେପଟେ ମିଳିତ ଟ୍ରକ୍ ମାଲିକ ସଂଘ ପାରାଦୀପରେ ଶିଳ୍ପ ସଂସ୍ଥାଗୁଡିକୁ ବ୍ଲାକମେଲ୍ କରୁଥିବା ପାଲଟା ଅଭିଯୋଗ ଆଣିଛି।