କଙ୍ଗନାଙ୍କ ଅଫିସକୁ ବେଆଇନ ଦର୍ଶାଇ ଭଙ୍ଗିଲା ବିଏମସି

ମୁମ୍ବାଇ,ଏଜେନ୍ସି: ମହାରାଷ୍ଟ୍ରରେ ଶାସକ ଦଳ ଶିବସେନା ଓ ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ମଧ୍ୟରେ ବାକଯୁଦ୍ଧ ଜାରି ରହିଥିବାବେଳେ ତାଙ୍କ ମୁମ୍ବାଇ ସ୍ଥିତ ଅଫିସର କିଛି ଅଂଶକୁ ଭାଙ୍ଗିବା କାର୍ଯ୍ୟ ଆରମ୍ଭ କରିଛି ବିଏମସି(ବ୍ରିହାମମୁମ୍ବାଇ ମହାନଗର ନିଗମ)। କଙ୍ଗନାଙ୍କ ଅଫିସରେ ଅନେକ ନିର୍ମାଣ କାର୍ଯ୍ୟ ବେଆଇନ କରାଯାଇଥିବା ଦର୍ଶାଇ ବିଏମସି ଗତକାଲି ନୋଟିସ କରିଥିଲା। ଏବଂ ଆଜି ଭଙ୍ଗା କାର୍ଯ୍ୟ ଆରମ୍ଭ ହୋଇଛି।

ବିଏମସିର ସୂଚନା ଅନୁସାରେ ଏ ସମ୍ପର୍କରେ ଗତକାଲି କଙ୍ଗନା ରାଣାୱତଙ୍କୁ ନୋଟିସ ପଠାଯାଇ ୨୪ ଘଣ୍ଟାରେ ଜବାବ ରଖିବାକୁ କୁହାଯାଇଥିଲା। ମାତ୍ର କଙ୍ଗନା ଜବାବ ଦାଖଲ କରିନାହାନ୍ତି। ତେଣୁ ଆଜି ଏହି ବେଆଇନ ନିର୍ମାଣ ଗୁଡ଼ିକୁ ଭଙ୍ଗାଯାଉଛି।

ସେହିପରି କଙ୍ଗନା ବିଏମସିର ଏହି କାର୍ଯ୍ୟାନୁଷ୍ଠାନକୁ ନେଇ ଟ୍ୱିଟ କରି ଲେଖିଛନ୍ତି ଯେ, ମୁଁ କେବେ ଭୁଲ ନଥିଲି। ମୋ ଶତ୍ରୁମାନେ ଏହାକୁ ବାରମ୍ବାର ପ୍ରମାଣିତ କରିଚାଲିଛନ୍ତି। ମୋ ମୁମ୍ବାଇ ପାକ୍ ଅଧିକୃତ କାଶ୍ମୀର ହୋଇଯାଇଛି। ଏଥି ସହିତ ହ୍ୟାସ ଟ୍ୟାଗରେ ‘ଡେଥ ଅଫ ଡେମୋକ୍ରାସି’ ଲେଖିଛନ୍ତି। ଏହା ପୂର୍ବରୁ କଙ୍ଗନା ଟ୍ୱିଟ କରି କହିଥିଲେ ଯେ ମୁଁ ମୁମ୍ବାଇ ଫେରୁଥିବା ବେଳେ ମହାରାଷ୍ଟ୍ର ସରକାର ଓ ତାଙ୍କ ଗୁଣ୍ଡାମାନେ ମୋ ଅଫିସକୁ ବେଆଇନ ଦର୍ଶାଇ ଭାଙ୍ଗିବାକୁ ପ୍ରସ୍ତୁତ ହୋଇଛନ୍ତି।