ଲଗାଣ ବର୍ଷା ଯୋଗୁଁ ଘରେ ପଶିଲା ପାଣି: ବିଭିନ୍ନ ସ୍ଥାନକୁ ଯୋଗାଯୋଗ ବିଚ୍ଛିନ୍ନ ଜିଲ୍ଲା By Nitidin Last updated Aug 27, 2020 Share ବରଗଡ଼,ଏନ୍ଏନ୍ଏସ୍: ଲଗାଣ ବର୍ଷା ପ୍ରଭାବରେ ବରଗଡ଼ ଜିଲ୍ଲାର ଅବସ୍ଥା ଶୋଚନୀୟ ହୋଇପଡିଛି। ବୁଧବାର ରାତିରୁ ଲାଗି ରହିଥିବା ଏହି ଲଗାଣ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଜିଲ୍ଲାର ବିଭିନ୍ନ ସ୍ଥାନରେ ୧୫ ରୁ ଅଧିକ ଘର ଭାଙ୍ଗି ଯାଇଥିବାବେଳେ ବହୁ ପରିବାର ଏବେ ନିରାଶ୍ରୟ ହୋଇପଡ଼ିଛନ୍ତି। ବରଗଡ଼ ସହରର ଭିଏସଏସ ନଗର, ଭଟଲି ରୋଡ ଛକ ନିକଟରେ ଥିବା ବସ୍ତିଅଞ୍ଚଳ, ଖଜୁରଟିକ୍ରା ନୂଆପଡା, ନଦୀପଡା, ସରସ୍ୱତୀ ଏନକ୍ଲେଭ ସମେତ ତଳି ଅଞ୍ଚଳରେ ବହୁ ଘରେ ପାଣି ପଶିଛି। ବୁଧବାରରୁ ବରପାଲି-ବିନିକା ମଧ୍ୟରେ ବାରଙ୍ଗପାଲିରେ ରାଞ୍ଜ ନଦୀ ପୋଲ ଉପରେ ପାଣି ପ୍ରବାହିତ ହେଉଥିବାରୁ ଉକ୍ତ ରାସ୍ତାରେ ଯାତାୟାତ ବନ୍ଦ ରହିଛି। ସେହିପରି ବିଜେପୁର-ପଦ୍ମପୁର ରାସ୍ତାର ଗୁଦେରପାଲିରେ ଘେଁସାଲି ନଦୀ ପୋଲ ଉପରେ ୬ ଫୁଟ ପାଣି ପ୍ରବାହିତ ହେଉଛି। ବିଜେପୁର ବ୍ଲକ୍ ସାଧୁପାଲିରେ ଜଣେ ବ୍ୟକ୍ତିଙ୍କ ଘର ଭାଙ୍ଗି ଯାଇଥିବାବେଳେ ସମ୍ପୃକ୍ତ ପରିବାରକୁ ସ୍ଥାନୀୟ ସ୍କୁଲରେ ରଖାଯାଇ ରନ୍ଧା ଖାଦ୍ୟର ବ୍ୟବସ୍ଥା କରାଯାଇଥିବା ସୂଚନା ମିଳିଛି । ସେହିପରି ସାନବାଉଁଶେନ ଗ୍ରାମରେ ଜଣେ ବ୍ୟକ୍ତିଙ୍କ ଘରେ ବିରାଟ ଗଛ ଭାଙ୍ଗି ପଡିଯିବାରୁ ଘରଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ସୂଚନା ମିଳିଛି । ତେବେ ଘେଁସର ଏକ ଫାର୍ମ ହାଉସରେ ପାଣି ଘେରରେ ଫସିରହିଥିବା ୧୪ ଜଣଙ୍କୁ ପଦ୍ମପୁର ଅଗ୍ନିଶମ ବିଭାଗ ତରଫରୁ ଉଦ୍ଧାର କରାଯାଇ ସୁରକ୍ଷିତ ସ୍ଥାନକୁ ନିଆଯାଇଥିଲା। Share