ପୁଲୱାମା ଆକ୍ରମଣ: ୫ ହଜାର ପୃଷ୍ଠାର ଚାର୍ଜସିଟ ପ୍ରସ୍ତୁତ କଲା ଏନଆଇଏ

ନୂଆଦିଲ୍ଲୀ: ପୁଲୱାମା ଆକ୍ରମଣ ମାମଲାରେ ରାଷ୍ଟ୍ରୀୟ ଯାଞ୍ଚ ଏଜେନ୍ସି (ଏନଆଇଏ) ୫ହଜାର ପୃଷ୍ଠାର ଚାର୍ଜସିଟ୍ ପ୍ରସ୍ତୁତ କରିଛି। ଆତଙ୍କବାଦୀମାନେ କିଭଳି ଆଇଡି ପ୍ରସ୍ତୁତ କରିଥିଲେ, କିଭଳି ଏହାକୁ ନେଇ ଆକ୍ରମଣ କଲେ ଏହାର ସବିଶେଷ ତଥ୍ୟ ଜମ୍ମୁ କୋର୍ଟରେ ଏନଆଇଏ ଦାଖଲ କରିଛି। ଉକ୍ତ ଚାର୍ଜସିଟରେ ମୋଟ ୨୦ଜଣ ଆତଙ୍କବାଦୀଙ୍କ ନାମ ଉଲ୍ଲେଖ କରାଯାଇଛି। ପାକିସ୍ତାନରେ ଥିବା ଜୈସ-ଏ- ମହମ୍ମଦର ମୁଖ୍ୟ ମସୁଦ ଅଜହର ଓ ରଓଫ ଅସଗର ମସୁଦର ନାମ ବି ଚାର୍ଜସିଟରେ ସାମିଲ ରହିଛି। ମସୁଦ ଅଜହରର ପୁତୁରା ଉମର ଫାରୁକ ଓ ଅଦୀଲ ଡାର ବ୍ୟତୀତ ଆକ୍ରମଣରେ ସାମିଲ ଥିବା ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ହ୍ୱାଟ୍ସଆପ ଚାଟ ମଧ୍ୟ ଏଥିରେ ଦର୍ଶାଯାଇଛି। ପାକିସ୍ତାନରୁ ଅର୍ନ୍ତଜାତୀୟ ସୀମା ଜରିଆରେ ଆରଡୀଏକ୍ସ ଅଣାଯାଇଥିବା ଯୋଜନାର ସବିଶେଷ ତଥ୍ୟ ମଧ୍ୟ ଚାର୍ଜସିଟରେ ସାମିଲ କରାଯାଇଛି।

ଆତଙ୍କବାଦୀମାନେ କିଭଳି ଏହି ଆକ୍ରମଣ କରିଥିଲେ, ଏଥିପାଇଁ କିପରି ଯୋଜନା ପ୍ରସ୍ତୁତ ହୋଇଥିଲା ଚାର୍ଜସିଟରେ ବିସ୍ତୃତ ଭାବରେ ଉଲ୍ଲେଖ କରାଯାଇଛି। ଆକ୍ରମଣ ପାଇଁ ଅନ୍ୟ କେଉଁ ଆତଙ୍କବାଦୀମାନେ ସହଯୋଗ କରିଥିଲେ ସେନେଇ ମଧ୍ୟ ତଥ୍ୟ ରହିଛି। ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ମଧ୍ୟ ମସୁଦ ଅଜହର ଥିଲା।

ସୂଚନାଯୋଗ୍ୟ, ପୁଲୱାମା ଆତଙ୍କବାଦୀ ଆକ୍ରମଣ ଘଟଣାରେ ୪୦ରୁ ଅଧିକ ସିଆରପିଏଫ୍ ଯବାନ ସହିଦ ହୋଇଥିଲେ। ଗତବର୍ଷ ଫେବୃଆରୀ ୧୪ରେ ଆତଙ୍କବାଦୀମାନେ ସିଆରପିଏଫ୍ ପାଟ୍ରୋଲିଂ ପାର୍ଟି ଉପରକୁ ଟାର୍ଗେଟ କରି ଆକ୍ରମଣ କରିଥିଲେ। ଉକ୍ତ ଘଟଣାର ତଦନ୍ତ ଏନଆଇଏ ପକ୍ଷରୁ କରାଯାଇଥିଲା।