ସାମ୍ବାଦିକ ହତ୍ୟା ମାମଲାର ୬ ଅଭିଯୁକ୍ତ ଗିରଫ: ପରିବାରକୁ ୧୦ ଲକ୍ଷ ଟଙ୍କାର ସହାୟତା ଘୋଷଣା

ନୂଆଦିଲ୍ଲୀ: ସାମ୍ବାଦିକ ରତନ ସିଂହଙ୍କ ହତ୍ୟା ମାମଲାରେ ଉତ୍ତରପ୍ରଦେଶର ବଲିିଆ ଜିଲ୍ଲାସ୍ଥିତ ଫେପନା ଥାନାର ଭାରପ୍ରାପ୍ତ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି। ପୁଲିସ ଏହି ମାମଲାରେ ୬ ଅଭିଯୁକ୍ତଙ୍କୁ ଗିରଫ ମଧ୍ୟ କରିଛି। ସେମାନେ ହେଲେ ସୁଶୀଲ ସିଂହ, ସନୀଲ ସିଂହ, ଅରବିନ୍ଦ ସିଂହ, ବୀର ବାହାଦୂର ସିଂହ, ଦିନେଶ ସିଂହ ଓ ବିନୟ ସିଂହ। ଅତିରିକ୍ତ ପୁଲିସ ଅଧୀକ୍ଷକ ସଞ୍ଜୟ ଯାଦବ କହିଛନ୍ତି ଯେ, ଏକ ଟିଭି ଚ୍ୟାନେଲର ସାମ୍ବାଦିକ ରତନ ସିଂହଙ୍କ ପିତା ବିନୋଦ ସିଂହଙ୍କ ଅଭିଯୋଗ ଆଧାରରେ ଭାରତୀୟ ଦଣ୍ଡ ସଂହିତାର ଧାରା ଅନୁଯାୟୀ ୧୦ ଜଣ ବ୍ୟକ୍ତିଙ୍କ ନାଁରେ ମାମଲା ରୁଜୁ କରାଯାଇଛି।

ସାମ୍ବାଦିକ ରତନଙ୍କ ପିତାଙ୍କ କହିବା ମୁତାବିକ, ଉକ୍ତ ଗାଁର ସୋନୁ ସିଂ ନାମକ ବ୍ୟକ୍ତି ତାଙ୍କ ପୁଅକୁ ଗତକାଲି ରାତି ୮ଟାବେଳେ ତାଙ୍କ ଘରକୁ ଡାକି ନେଇଥିଲେ। ସେଠାରେ ଠେଙ୍ଗା, ବାଡ଼ି ଓ ଗୁଳିରେ ତାଙ୍କ ପୁଅକୁ ମାରି ହତ୍ୟା କରିଥିଲେ।

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉକ୍ତ ଘଟଣାରେ ପ୍ରାଣ ହରାଇଥିବା ଦିବଙ୍ଗତ ସାମ୍ବାଦିକଙ୍କ ପରିବାରକୁ ୧୦ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ଏଥିସହିତ ତାଙ୍କ ହତ୍ୟାକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଯୋଗୀ ପ୍ରତଶ୍ରୁତି ଦେଇଛନ୍ତି।