ନୂଆଦିଲ୍ଲୀ,ଏଜେନ୍ସି: ଆଜି ଦିନ ୧୧ଟାରେ ନିଜର ରେଡିଓ କାର୍ଯ୍ୟକ୍ରମ ‘ମନ କି ବାତ୍’ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶକୁ ସମ୍ବୋଧିତ କରିଛନ୍ତି। ତାଙ୍କର ରେଡିଓ କାର୍ଯ୍ୟକ୍ରମର ୬୭ତମ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଜୟ ଦିବସ ଅବସରରେ ଦେଶର ବିଜୟ ପାଇଁ ପ୍ରାଣବଳି ଦେଇଥିବା ବୀର ଯବାନମାନଙ୍କୁ ମନେପକାଇଛନ୍ତି।
ସେ କହିଛନ୍ତି ଯେ ଆଜି ୨୬ ଜୁଲାଇ ‘କାର୍ଗିଲ ବିଜୟ ଦିବସ’। ୨୧ ବର୍ଷ ପୂର୍ବେ ଆଜି ଦିନରେ ଆମ ସେନା କାର୍ଗିଲ ଯୁଦ୍ଧରେ ବିଜୟ ପତାକା ଉତ୍ତୋଳନ କରିଥିଲେ। ତେବେ ଏହି ଯୁଦ୍ଧରେ ଯବାନଙ୍କ ବଳିଦାନକୁ ଭାରତ ଭାରତ କେବେ ବି ଭୁଲିପାରିବ ନାହିଁ। ଭାରତର ଅଞ୍ଚଳ ଦଖଲ କରିବାକୁ ପାକିସ୍ତାନ ବହୁତ ଚେଷ୍ଟା କରିବା ସତ୍ତ୍ବେ ଭାରତୀୟ ସେନା ଦୀର୍ଘ ଦିନ ଧରି ଶତ୍ରୁ ସହ ଲଢ଼େଇ କରି ବିଜୟ ହୋଇଥିଲା।
ସେହିଦିନକୁ ମନେପକାଇ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ସେ ମଧ୍ୟ କାର୍ଗିଲ ଯାଇଥିଲେ ଏବଂ ଯବାନମାନଙ୍କର ବୀରତ୍ୱ ଦେଖିବାର ସୁଯୋଗ ପାଇଥିଲେ। ସେହି ଦିନଟି ମୋ ଜୀବନର ସବୁଠାରୁ ମୂଲ୍ୟବାନ ମୁହୂର୍ତ୍ତ ଥିଲା ବୋଲି ମୋଦୀ କହିଛନ୍ତି। ସେ କହିଛନ୍ତି, ଦେଶର ଲୋକମାନେ ଆଜି କାର୍ଗିଲ ବିଜୟ ଦିବସକୁ ମନେ ରଖିଛନ୍ତି। ସୋସିଆଲ ମିଡିଆରେ ଲୋକମାନେ ସହିଦ ହୋଇଥିବା କାର୍ଗିଲ ହିରୋମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି। ଆଜିର ଦିନରେ ଦେଶବାସୀ କାରଗିଲ ଯୁଦ୍ଧରେ ସହିଦ ହୋଇଥିବା ଯବାନଙ୍କ ବିଜୟ ଗାଥା ବିଷୟରେ ପଢ଼ନ୍ତୁ ଏବଂ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ ମୋଦୀ।
ପରବର୍ତ୍ତୀ ପର୍ଯ୍ୟାୟରେ ନରେନ୍ଦ୍ର ମୋଦୀ ଦେଶରେ କରୋନା ସ୍ଥିତି ବିଷୟରେ ଆଲୋଚନା କରିଥିଲେ। ଏହି ଅବସରରେ ସେ କହିଛନ୍ତି ଯେ, ଆମ ଦେଶରେ କରୋନାରେ ସୁସ୍ଥତା ହାର ଅନ୍ୟ ଦେଶମାନଙ୍କ ତୁଳନାରେ ଭଲ ଅଛି। ସେହିପରି ଅନ୍ୟ ଦେଶ ତୁଳନାରେ ଆମ ଦେଶରେ ମୃତ୍ୟୁ ହାର ବହୁତ କମ୍ ରହିଛି। ଆମେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ବଞ୍ଚାଇବାକୁ ସକ୍ଷମ, କିନ୍ତୁ କରୋନା ଭାଇରସର ବିପଦ ଏ ପର୍ଯ୍ୟନ୍ତ ଟଳିନାହିଁ। ଏହା ଦେଶର ଅନେକ କ୍ଷେତ୍ରରେ ଦ୍ରୁତ ଗତିରେ ବ୍ୟାପୁଛି। ତେଣୁ ଏହି ଯୁଦ୍ଧକୁ ମିଳିମିଶି ହରାଇବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି।