ସ୍ତ୍ରୀଙ୍କ ସରକାରୀ ଚାକିରି; କାମ କରୁଛନ୍ତି ସ୍ୱାମୀ

ଦେବଗଡ଼,ଏନ୍ଏନ୍ଏସ୍: ସ୍ତ୍ରୀଙ୍କ ନାମରେ ସରକାରୀ ଚାକିରି ଥିବାବେଳେ ଅଫିସ ଆସି କାମ କରୁଛନ୍ତି ତାଙ୍କ ସ୍ୱାମୀ। କଥାଟି ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ରିଆମାଳ ବ୍ଲକ ବାଘବର ପଞ୍ଚାୟତରେ ଏଭଳି ଏକ ଆଶ୍ଚର୍ଯ୍ୟ ଜନକ ଦୃଶ୍ୟ ଦେଖିବାକୁ ମିଳିଛି। ତେବେ ଏହି ପ୍ରକ୍ରିୟା ଦୀର୍ଘ ୪ ବର୍ଷ ଧରି ଜିଲ୍ଲା ପ୍ରଶାସନ ଦୃଷ୍ଟି ଆଢୁଆଳରେ ଚାଲିଆସୁଛି। ଏନେଇ କେତେକ ଗ୍ରାମବାସୀ ଅଭିଯୋଗ କରିବାରୁ ଘଟଣାର ସତ୍ୟାସତ୍ୟ ପାଇଁ ଆମେ ବାଘବର ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚି ପଚରାଉଚୁରା କରିବା ପରେ ଘଟଣାର ସତ୍ୟତା ଜଣାପଡ଼ିଛି।

 

ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ ବାଘବର ପଞ୍ଚାୟତରେ ଗତ ୨୦୧୭ ମସିହା ଅକ୍ଟୋବର ପହିଲାରେ ଜଣେ ମହିଳା ଜିଆରଏସ ଭାବେ ବାଘବର ଗ୍ରାମର ସତ୍ୟ ରଞ୍ଜନ ପ୍ରଧାନଙ୍କ ସ୍ତ୍ରୀ କ୍ଷୀରୋଦିନୀ ସାହୁଙ୍କୁ ନିଯୁକ୍ତି ମିଳିଥିଲା। ମାତ୍ର ଚାକିରି ପାଇବା ପରଠାରୁ କ୍ଷୀରୋଦିନୀ ପଞ୍ଚାୟତ କାର୍ଯ୍ୟାଳୟକୁ ଆସିନାହାନ୍ତି। ତେବେ କ୍ଷୀରୋଦିନୀଙ୍କ ସବୁ କାର୍ଯ୍ୟ ତାଙ୍କ ସ୍ୱାମୀ ସତ୍ୟରଞ୍ଜନ କରୁଥିବା ଜନସାଧାରଣ ଅଭିଯୋଗ କରିଛନ୍ତି। ଫଳରେ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ନଥିପତ୍ରକୁ ଜଣେ ବେସରକାରୀ ଲୋକ ଦ୍ୱାରା ତଦାରଖ କରାଯାଉଥିବାରୁ ଉକ୍ତ ବିଭାଗର ଗୋପନୀୟ ତଥ୍ୟ ସର୍ବସାଧାରଣରେ ପ୍ରକାଶ ପାଉଛି।

ଜଣେ ସରକାରୀ କର୍ମଚାରୀ ନିଜ ଦାୟିତ୍ୱ ଓ କର୍ତ୍ତବ୍ୟ ଅନ୍ୟ ଦ୍ୱାରା କରାଉଥିବାରୁ ଏହା ବେଆଇନ ଦର୍ଶାଇ ବହୁ ଗ୍ରାମବାସୀ ଏହାକୁ ସମାଲୋଚନା କରିଛନ୍ତି। ତେବେ ଘଟଣା ସମ୍ପର୍କରେ ଭାରପ୍ରାପ୍ତ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ସୁଶାନ୍ତ କୁମାର ପଟେଲଙ୍କ ମତାମତ ଲୋଡିବାରୁ ବିଡିଓଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ତଦନ୍ତ ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି।