୩୦ ସେକେଣ୍ଡରେ ମିଳିବ କରୋନା ରିପୋର୍ଟ

ନୂଆଦିଲ୍ଲୀ,ଏଜେନ୍ସି: କରୋନା ପରୀକ୍ଷା ରିପୋର୍ଟ ପାଇବା ପାଇଁ ଆଉ ଦିନଦିନ ଧରି ଅପେକ୍ଷା କରିବାକୁ ପଡ଼ିବ ନାହିଁ। ଆଖିପିଛୁଳାକେ ମିଳିବ କରୋନା ରିପୋର୍ଟ। ଇସ୍ରାଏଲ ଓ ଭାରତର ବିଶେଷଜ୍ଞମାନେ ଏହି ଧରଣର ଏକ ଟେଷ୍ଟ କିଟ୍ ବିକାଶ ପାଇଁ ହାତ ମିଳାଇଛନ୍ତି। ଏଥିପାଇଁ ଇସ୍ରାଏଲରୁ ଏକ ମିଲିଟାରୀ ବୈଜ୍ଞାନିକ ଓ ଟେକ୍ନିକାଲ ସ୍ପେଶାଲିଷ୍ଟ ଦଳ ଖୁବଶୀଘ୍ର ଭାରତ ଆସିବେ ବୋଲି ଜଣାପଡ଼ିଛି। ଏନେଇ ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରଣାଳୟର ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ନିର୍ଦ୍ଦେଶାଳୟର ମୁଖ୍ୟ ଡାନି ଗୋଲ୍ଡ ସୂଚନା ଦେଇଛନ୍ତି।

ତେବେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଓ ମେସିନ ଲର୍ଣ୍ଣିଂ ଦ୍ୱାରା ଇସ୍ରାଏଲରେ ପ୍ରସ୍ତୁତ ଏହି ଟେଷ୍ଟିଂ କିଟର ଖୁବଶୀଘ୍ର ଭାରତରେ ପରୀକ୍ଷଣ କରାଯିବ। ଯଦି ଏହା ସଫଳ ହୁଏ ତାହା ହେଲେ ଭାରତରେ ହିଁ ଏହାର ଉତ୍ପାଦନ କରାଯିବ ବୋଲି କୁହାଯାଇଛି। ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସାଇଣ୍ଟିଫିକ ପରାମର୍ଶଦାତା ଡା. ବିଜୟାରାଘବନଙ୍କ ସହ ଇସ୍ରାଏଲର ବୈଜ୍ଞାନିକ ଓ ଟେକ୍ନିକାଲ ସ୍ପେଶାଲିଷ୍ଟ ଦଳ ଏମ୍ସରେ ଦୁଇ ସପ୍ତାହ ଧରି କିଟଗୁଡ଼ିକର ପରୀକ୍ଷା କରିବେ ବୋଲି ଜଣାପଡ଼ିଛି। ନୂଆ ରାପିଡ ଟେଷ୍ଟିଂ କିଟ୍‌ ଦ୍ୱାରା ଜଣେ ବ୍ୟକ୍ତିର ନିଶ୍ୱାସ ପ୍ରଶ୍ୱାସ, କଣ୍ଠ ସ୍ୱର ଓ ଇସୋଥର୍ମାଲ ଟେଷ୍ଟ କରାଯିବ। ଯାହା ଦ୍ୱାରା ଉକ୍ତ ବ୍ୟକ୍ତି ଜଣଙ୍କ କରୋନା ପଜିଟିଭ କିମ୍ବା ନେଗେଟିଭ ଥିବା ଜଣାପଡ଼ିଯିବ।