ଡିସେମ୍ବର ୩୧ ଯାଏ ଘରେ ରହି କାମ କରିବେ ଆଇଟି ଓ ବିପିଓ କର୍ମଚାରୀ

ନୂଆଦିଲ୍ଲୀ,ଏଜେନ୍ସି: ଦେଶରେ କରୋନା ପରିସ୍ଥିତି ଦିନକୁ ଦିନ ଅସମ୍ଭାଳ ହେବାରେ ଲାଗିଛି। ଏନେଇ ସରକାର ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ଅପଣାଉଛନ୍ତି। ତେବେ ଏହି ସମୟରେ ଆଇଟି ଓ ବିପିଓ କର୍ମଚାରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଡିସେମ୍ବର ୩୧ ପର୍ଯ୍ୟନ୍ତ ସମସ୍ତ କର୍ମଚାରୀ ଘରେ ରହି କାର୍ଯ୍ୟ କରିବାକୁ କୁହାଯାଇଛି। ତେଣୁ କମ୍ପାନୀ ପକ୍ଷରୁ ସମସ୍ତ ବ୍ୟବସ୍ଥା କରିବାକୁ ଦୂର ସଞ୍ଚାର ମନ୍ତ୍ରାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

ବର୍ତ୍ତମାନ ପ୍ରାୟ ୮୦ ପ୍ରତିଶତ ଆଇଟି ଓ ବିପିଓ କର୍ମଚାରୀ ଘରେ ରହି କାର୍ଯ୍ୟ କରୁଛନ୍ତି। ଜରୁରୀ ଆବଶ୍ୟକତା ଥିବା କର୍ମଚାରୀ କେବଳ ଅଫିସ ଯାଉଛନ୍ତି। କରୋନା ସଂକ୍ରମଣ ପାଇଁ ଆଇଟି ଓ ବିପିଓ କର୍ମଚାରୀଙ୍କୁ ପ୍ରଥମେ ଏପ୍ରିଲ ୩୦ ପର୍ଯ୍ୟନ୍ତ ଘରେ ରହି କାମ କରିବାକୁ ପରାମର୍ଶ ଦିଆଯାଇଥିଲା। ପରେ ଏହାକୁ ଜୁଲାଇ ୩୧ ପର୍ଯ୍ୟନ୍ତ ବଢ଼ାଇଦିଆଯାଇଥିଲା। ମାତ୍ର ଦେଶରେ କରୋନା ସଂକ୍ରମଣ ବଢ଼ି ଚାଲିଥିବାରୁ ସରକାରଙ୍କ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି।