ଛାତ୍ରଛାତ୍ରୀଙ୍କୁ ମାନସିକ ସହାୟତା ଦେବ ‘ମନୋଦର୍ପଣ’: କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ

ନୂଆଦିଲ୍ଲୀ,ଏଜେନ୍ସି: ଛାତ୍ରଛାତ୍ରୀଙ୍କୁ ମାନସିକ ଚାପରୁ ମୁକ୍ତ କରିବା ପାଇଁ ମନସ୍ତାତ୍ତ୍ୱିକ ସହାୟତା ଦେବାକୁ ଭାରତ ସରକାର ‘ମନୋଦର୍ପଣ’ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ଏନେଇ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ସୂଚନା ଦେଇଛନ୍ତି। ଏଥିସହିତ ଏକ ଜାତୀୟ ସହାୟତା ଟୋଲ୍ ଫ୍ରି ନମ୍ବର-୮୪୪୮୪୪୦୬୩୨ ଜାରି ହୋଇଛି। ଏହି ହେଲ୍ପଲାଇନ ନମ୍ବରରେ ଉପଦେଶ ଦେବା ପାଇଁ ବିଶେଷଜ୍ଞମାନେ ଉପଲବ୍ଧ ରହିବେ।

ଏହି ‘ମନୋଦର୍ପଣ’ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ ଓ ପିଲାମାନଙ୍କ ପରିବାର ଲୋକଙ୍କୁ ମାନସିକ ଏବଂ ମନସ୍ତାତ୍ତ୍ୱିକ ସ୍ୱାସ୍ଥ୍ୟ ସମ୍ପର୍କରେ ପରାମର୍ଶ ଦିଆଯିବ। ସେହିପରି ମାନବ ସମ୍ବଳ ବିକାଶର ୱେବସାଇଟରେ ମଧ୍ୟ ‘ମନୋଦର୍ପଣ’ର ଏକ ସ୍ୱତନ୍ତ୍ର ପେଜ୍ ପ୍ରସ୍ତୁତ ହୋଇଛି। ଏଥିରେ ପରାମର୍ଶ, ପ୍ରାକ୍ଟିକାଲ ଟିପସ, ପୋଷ୍ଟର, ଭିଡିଓ, କ’ଣ କରିବା ଓ କ’ଣ ନ କରିବା ସେ ସବୁର ଉପଦେଶ ରହିଛି। ଏହାଛଡା ଅନଲାଇନ ଚାଟ ଦ୍ୱାରା ମଧ୍ୟ ପରାମର୍ଶ ନେଇପାରିବେ ଛାତ୍ରଛାତ୍ରୀ।

କୋଭିଡ-୧୯ ଯୋଗୁଁ କେବଳ ଶାରୀରିକ ନୁହେଁ, ମାନସିକରେ ମଧ୍ୟ ପ୍ରତିକୂଳ ପ୍ରଭାବ ପଡ଼ୁଛି। ଶିଶୁ ଓ କଶୋରମାନଙ୍କ ଉପରେ ପଡ଼ୁଥିବା ଏଭଳି ଚାପକୁ ଦୂର କରିବା ପାଇଁ ଭାରତ ସରକାର ‘ମନୋଦର୍ପଣ’ର ବ୍ୟବସ୍ଥା କରିଥିବା କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ କହିଛନ୍ତି।