ମଧ୍ୟପ୍ରଦେଶ ରାଜ୍ୟପାଳ ଲାଲ ଜୀ ଟଣ୍ଡନଙ୍କ ବିୟୋଗ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ରାଜ୍ୟପାଳ ଲାଲ ଜୀ ଟଣ୍ଡନଙ୍କର ଆଜି ସକାଳୁ ପରଲୋକ ଘଟିଛି। ଅସୁସ୍ଥତା ହେତୁ ଜୁନ୍୧୧ରୁ ସେ ଲଖନୌର ମେଦାନ୍ତା ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ମୃତ୍ୟୁବେଳକୁ ତାଙ୍କୁ ୮୫ ବର୍ଷ ବୟସ ହୋଇଥିଲା। ଲାଲ ଜୀଙ୍କ ମୃତ୍ୟୁ ସମ୍ପର୍କରେ ତାଙ୍କ ପୁଅ ଆଶୁତୋଷ ଟଣ୍ଡନ ଟ୍ୱିଟ କରି ସୂଚନା ଦେଇଛନ୍ତି।

ଜୁନ୍ ୧୧ ତାରିଖରେ ରାଜ୍ୟପାଳ ଲାଲ ଜୀଙ୍କଠାରେ ଶ୍ୱାସକ୍ରିୟା ସହ ଜ୍ୱର ଓ ପରିସ୍ରାରେ ସମସ୍ୟା ଦେଖାଦେବାରୁ ଲଖନୌସ୍ଥିତ ମେଦାନ୍ତା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଜୁନ୍ ୧୩ ତାରିଖରେ ଅପରେସନ କରାଯାଇଥିଲା। କିନ୍ତୁ ପରେ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। ତାଙ୍କର ସ୍ୱାସ୍ଥ୍ୟବସ୍ଥା ଦିନକୁଦିନ ଅଧିକ ବିଗିଡ଼ିବାରୁ ଉତ୍ତରପ୍ରଦେଶ ରାଜ୍ୟପାଳ ଆନନ୍ଦୀବେନ ପଟେଲଙ୍କୁ ମଧ୍ୟପ୍ରଦେଶର ଅତିରିକ୍ତ ଦାୟିତ୍ୱ ଦିଆଯାଇଥିଲା।

୧୯୬୦ ମସିହାରୁ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିବା ଲାଲ ଜୀ ଟଣ୍ଡନ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଖୁବ୍ ନିକଟତର ଥିଲେ। ବାଜପେୟୀଙ୍କ ଦେହ ଖରାପ ହେବାରୁ ୨୦୦୯ ମସିହାରେ ଲାଲ ଜୀ ଲଖନୌ ଲୋକସଭା ଆସନରେ ପ୍ରାର୍ଥୀ ହେବାସହ ବିଜୟୀ ହୋଇଥିଲେ। ୨୦୧୮ ଅଗଷ୍ଟ ୧୩ରେ ସେ ବିହାରର ରାଜ୍ୟପାଳ ହୋଇଥିଲେ। ପରେ ୨୦୧୯ ଜୁଲାଇ ୨୯ରୁ ମଧ୍ୟପ୍ରଦେଶର ରାଜ୍ୟପାଳ ପଦ ସମ୍ଭାଳିଥିଲେ।

ଲାଲ ଜୀଙ୍କ ବିୟୋଗରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୋକବ୍ୟକ୍ତ କରିଛନ୍ତି।