କନ୍ଧମାଳରେ ପୁଣି ଏକ ଜନନୀ ଯନ୍ତ୍ରଣା, ସାହାରା ପାଲଟିଲେ ଆମ୍ବୁଲାନ୍ସ କର୍ମଚାରୀ

ଫୁଲବାଣୀ,କୋଟଗଡ଼,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକର ବିଲାମାଳ ପଞ୍ଚାୟତର ଏକ ଦୁର୍ଗମ ଗ୍ରାମରୁ ୬ କିଲୋମିଟର ପର୍ଯ୍ୟନ୍ତ ଜଣେ ଗର୍ଭବତୀ ମହିଳାଙ୍କୁ ଷ୍ଟ୍ରେଚରରେ ବୋହି ଆଣିଥିବା ଭଳି ଏକ ଘଟଣା କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକ୍ ବିଲାମାଳ ପଞ୍ଚାୟତ ଗୁଣ୍ଡୁରିଖୋଲା ଗ୍ରାମରେ ଘଟିଥିବା ବେଳେ ଗତ ୧୩ ତାରିଖରେ ମଧ୍ୟ ଏଭଳି ଏକ ଘଟଣା ଘଟିଛି। କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଲକର ଏକ ଅପହଞ୍ଚ ଇଲାକାରେ।

ଖବର ପ୍ରକାରେ ଗତ ୧୩ ତାରିଖ ଦିନ ମାର୍ଲାଙ୍ଗା ପଞ୍ଚାୟତର ଏକ ମହିଳାର ଗର୍ଭ ଯନ୍ତ୍ରଣା ହେବାରୁ ଉକ୍ତ ଗ୍ରାମର ଆଶାକର୍ମୀ କସ୍ତୁରି ସିଂ ଆମ୍ବୁଲାନ୍ସକୁ ଡକାଇଥିଲେ। ତେବେ ଆମ୍ବୁଲାନ୍ସ ଆସିଥିଲେ ମଧ୍ୟ ଗ୍ରାମକୁ ଯିବା ପାଇଁ ରାସ୍ତା ନଥିବାରୁ ଗ୍ରାମଠାରୁ ପ୍ରାୟ ଦେଢ଼ କିଲୋମିଟର ଦୂରରେ ରହିଯାଇଥିଲା। ଏହି ସମୟରେ ଉକ୍ତ ଆମ୍ବୁଲାନ୍ସ ଦାୟିତ୍ୱରେ ଥିବା ଷ୍ଟାଫନର୍ସ ଆରାଧନା ପ୍ରଧାନ, ଗାଡ଼ି ଚାଳକ ପଙ୍କଜ ପ୍ରଧାନ ଓ ଆଟେଣ୍ଡାଣ୍ଟ ରୁବି ପ୍ରଧାନ ଚାଲିଚାଲି ଗର୍ଭବତୀ ମହିଳାଙ୍କ ନିକଟରେ ପହଞ୍ଚିଥିଲେ। ସେଠାରୁ ତାଙ୍କୁ ଷ୍ଟ୍ରେଚର ଦ୍ୱାରା ବୋହି ଆମ୍ବୁଲାନ୍ସ ନିକଟକୁ ଆଣିଥିଲେ। ଏହି ଦେଢ଼ କିଲୋମିଟର ରାସ୍ତା ଅତ୍ୟନ୍ତ ପରିତ୍ୟକ୍ତ ସହିତ କାଦୁଅରେ ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଥିବା ଦେଖାଯାଇଛି। ତେବେ ଗ୍ରାମରେ ଉକ୍ତ ଆମ୍ବୁଲାନ୍ସ ପହଞ୍ଚିଥିଲେ ମଧ୍ୟ ଗାଡ଼ି ବୁଲାଇବା ପାଇଁ କୌଣସି ପ୍ରକାର ସୁବିଧା ନଥିବାରୁ ଚାଳକ ଏକ ଧାନ ବିଲ ମଧ୍ୟରେ ଆମ୍ବୁଲାନ୍ସକୁ ବୁୁଲାଇ ମହିଳାଙ୍କୁ ସୁବର୍ଣ୍ଣଗିରି ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚାଇଥିଲେ। ସେଠାରେ ମହିଳା ଜଣଙ୍କ ଏକ କନ୍ୟା ସନ୍ତାନ ଜନ୍ମଲାଭ କରିଥିବା ଜଣାଯାଇଛି।

ସେହିପରି ମାଆ ଓ ଛୁଆ ସୁସ୍ଥ ଥିବା ଡାକ୍ତର ସୂଚନା ଦେଇଛନ୍ତି। ଆଜି ଏହି ଆଧୁନିକୀକରଣ ଯୁଗରେ ସମସ୍ତଙ୍କ ହାତରେ ସ୍ମାର୍ଟ ଫୋନ ଥିବା ବେଳେ ଗାଁକୁ ଆମ୍ବୁଲାନ୍ସ ଯିବାକୁ ରାସ୍ତାଟିଏ ନାହିଁ। ତେଣୁ କେବେ ଏହି ସବୁ ସମସ୍ୟାଗୁଡ଼ିକର ସମାଧାନ ହେବ ସେ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସେହିପରି ସ୍ଥାନୀୟ ପ୍ରଶାସନ ମଧ୍ୟ ସ୍ଥାଣୁ ପାଲଟିଥିବା ସାଧାରଣରେ ଅଭିଯୋଗ ହେଉଛି। ଅନ୍ୟପଟେ ଆମ୍ବୁଲାନ୍ସ କର୍ମଚାରୀଙ୍କ ଏପରି କାର୍ଯ୍ୟକୁ ସର୍ବସାଧାରଣରେ ସାଧୁବାଦ ଜଣାଯାଇଛି।