କୋରାପୁଟରୁ ୪ କରୋନା ପଜିଟିଭ୍ ଚିହ୍ନଟ: କୋରାପୁଟ ଟାଉନ୍ ଥାନା ସିଲ୍

କୋରାପୁଟ,ଏନ୍ଏନ୍ଏସ୍ : କୋରାପୁଟ ଜିଲ୍ଲାରେ ୪ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୨୨କୁ ବୃଦ୍ଧି ପାଇଛି।

ଆଜି ଚିହ୍ନଟ ହୋଇଥିବା ସମସ୍ତ ଆକ୍ରାନ୍ତ କୁନ୍ଦୁରା ବ୍ଲକର ଓ ସେମାନେ ଗଞ୍ଜାମ ଫେରନ୍ତା ବୋଲି ଜିଲ୍ଲାପାଳ ମଧୁସୂଦନ ମିଶ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସମସ୍ତେ କ୍ୱାରେଣ୍ଟଇନ କେନ୍ଦ୍ରର ହୋଇଥିବାରୁ ଅନ୍ୟମାନଙ୍କୁ ସଂକ୍ରମଣ ହେବାର ଆଶଙ୍କା ନଥିବା ଜିଲ୍ଲାପାଳ ପ୍ରକାଶ କରିବା ସହ ଆକ୍ରାନ୍ତଙ୍କୁ କୋଭିଡ କେୟାର ସେଣ୍ଟରରେ ଭର୍ତ୍ତି କରାଯାଇଥିବା କହିଛନ୍ତି।

ସୂଚନାଯୋଗ୍ୟ, ଶୁକ୍ରବାର ଜିଲ୍ଲାରେ ଚିହ୍ନଟ ହୋଇଥିବା ୨୭ଜଣ କରୋନା ସଂକ୍ରମିତଙ୍କ ମଧ୍ୟରେ କୋରାପୁଟ ଟାଉନ ଥାନାର ୪ଜଣ କର୍ମଚାରୀ ଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଶନିବାର ଟାଉନ ଥାନାକୁ ସିଲ କରାଯାଇଛି। ଏନେଇ ଏସପି ମୁକେଶ କୁମାର ଭାମୁ ଟ୍ୱିଟ କରି ସୂଚନା ଦେବାସହ ଅନର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଜନସାଧାରଣଙ୍କୁ ଆସିବାକୁ ବାରଣ କରିଛନ୍ତି। ଏଥିସହିତ ଟାଉନ୍ ଥାନା ଅଞ୍ଚଳର ଜନସାଧାରଣ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ସେମାନଙ୍କ ଅଭିଯୋଗ ଓ ଏତେଲା କୋରାପୁଟ ସଦର ଥାନାରେ ଦାୟର କରିବାକୁ ଅନୁରୋଧ କରାଯାଇଛି।