ବନ୍ଧବାହାଲରେ କାର୍ଯ୍ୟକ୍ଷମ ହେବ କୋଭିଡ ସ୍ୱାସ୍ଥ୍ୟକେନ୍ଦ୍ର

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲା ବନ୍ଧବାହାଲରେ ୭୦ ଶଯ୍ୟା ବିଶିଷ୍ଟ ଏକ କୋଭିଡ ସ୍ୱାସ୍ଥ୍ୟକେନ୍ଦ୍ର ଖୁବଶୀଘ୍ର କାର୍ଯ୍ୟକ୍ଷମ ହେବ। ଏନେଇ ଏମସିଏଲ ଓ ଜିଲ୍ଲା ପ୍ରଶାସନ ମଧ୍ୟରେ ଏକ ଏମଓୟୁ ସ୍ୱାକ୍ଷର ହୋଇଛି। ଉକ୍ତ ସ୍ୱାସ୍ଥ୍ୟକେନ୍ଦ୍ରର ପ୍ରତ୍ୟେକ ଶଯ୍ୟା ନିକଟରେ ଅମ୍ଳଜାନ ସିଲିଣ୍ଡର ରହିବ ଓ ପ୍ରଥମ ପର୍ଯ୍ୟାୟରେ ଏମସିଏଲର ୫ଜଣ ସୁଦକ୍ଷ ଡାକ୍ତର ଚିକିତ୍ସା ସେବା ଯୋଗାଇବେ। ସାନିଟାଇଜେସନ, ହାଉସ କିପିଙ୍ଗ ଆଦି କାର୍ଯ୍ୟ ମଧ୍ୟ ଏମସିଏଲ ପକ୍ଷରୁ କରାଯିବ ବୋଲି ଝାରସୁଗୁଡା ଜିଲ୍ଲାପାଳ ସରୋଜ କୁମାର ସାମଲ କହିଛନ୍ତି। ସେହିପରି ଏମସିଏଲ ଡାଇରେକ୍ଟର ପର୍ସନାଲ କେଶବ ରାଓ କହିଛନ୍ତି କି, ଏମସିଏଲ ଝାରସୁଗୁଡାବାସୀଙ୍କୁ କରୋନା ପରି ମହାମାରୀ ସମୟରେ ସେବା ଯୋଗାଇବା ପାଇଁ ପ୍ରୟାସ କରିଛି। ଏଥିପାଇଁ ଲଖନପୁର ବନ୍ଧବାହାଲରେ ଥିବା ଏମସିଏଲ ହସ୍ପିଟାଲକୁ କୋଭିଡ ସ୍ୱାସ୍ଥ୍ୟକେନ୍ଦ୍ରରେ ପରିବର୍ତ୍ତନ କରାଯାଇଛି। ଏଠାରେ ଜିଲ୍ଲାର କରୋନା ସଂକ୍ରମିତଙ୍କୁ ମାଗଣାରେ ଚିକିତ୍ସା ପ୍ରଦାନ କରାଯିବ। ଏହି ଚିକିତ୍ସା ଖର୍ଚ୍ଚ ଏମସିଏଲ ନିଜର ସିଏସଆର ପାଣ୍ଠିରୁ ବହନ କରିବ ବୋଲି ଶ୍ରୀ ରାଓ କହିଛନ୍ତି।
ସୂଚନାଯୋଗ୍ୟ, ଜିଲ୍ଲାରେ ପୂର୍ବରୁ ୧୭୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ଓ ୮ଟି ସ୍ଥାନରେ ୩୨୦ ଶଯ୍ୟାର କୋଭିଡ କେୟାର ସେଣ୍ଟର ରହିଛି।