ପାରାଦ୍ୱୀପ,ଏନ୍ଏନ୍ଏସ୍: ପାରାଦ୍ୱୀପରେ ଆଜି ଏକ ଟ୍ରକ୍ ଭିତରୁ ଜଣେ ହେଲପରଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଛି। ଏନେଇ ମୃତକଙ୍କ ପରିବାର ପକ୍ଷରୁ ହତ୍ୟା ଅଭିଯୋଗ ହୋଇଛି।
ସୂଚନା ଅନୁସାରେ ପାରାଦ୍ୱୀପ ସବଷ୍ଟେସନ ଛକରେ ଟ୍ରକ୍ ଅସ୍ଥାୟୀ ପାର୍କିଂରେ ଛିଡ଼ା ହୋଇଥିବା ବେଳେ ଟ୍ରକର କେବିନ୍ ଭିତରେ ଏକ ଯୁବକଙ୍କ ରକ୍ତାକ୍ତ ମୃତ ଦେହ ଉଦ୍ଧାର କରାଯାଇଛି। ତେବେ ମୃତକ ଜଣଙ୍କ କେନ୍ଦ୍ରାପଡ଼ା ଜିଲ୍ଲା ବଉଳକଣୀ ଗ୍ରାମର ବାବୁଲି ସିଂହ ଓ ସେ ଟ୍ରକର ହେଲପର ଭାବେ କାର୍ଯ୍ୟରତ ଥିଲେ।
ଖବର ପାଇ ପାରାଦ୍ୱୀପ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହି ଘଟଣାରେ ମୃତକଙ୍କ ବାପା ତାଙ୍କ ପୁଅକୁ ହତ୍ୟା ହୋଇଥିବା ନେଇ ଅଭିଯୋଗ କରିଛନ୍ତି। ଅନ୍ୟପଟେ ଟ୍ରକ ଚକାରେ ରକ୍ତ ଲାଗିଥିବା ବେଳେ ମୃତ ବାବୁଲିଙ୍କର ଶବ ଟ୍ରକ୍ ଭିତରୁ ଉଦ୍ଧାର ହେବା ନେଇ ସନ୍ଦେହ ଦେଖା ଦେଇଛି।