ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବର୍ହିବିଭାଗ ଆଜିଠାରୁ ଖୋଲିବା ପାଇଁ ନିର୍ଦ୍ଦେଶ ଦେଲେ ମାଲକାନଗିରି ଜିଲ୍ଲାପାଳ। ମେଡ଼ିକାଲ ମଧ୍ୟରୁ ଜଣେ କରୋନା ଅକ୍ରାନ୍ତ ଚିହ୍ନଟ ହେବାପରେ ଦୀର୍ଘ ଏକ ସପ୍ତାହ ଧରି ମୁଖ୍ୟ ଚିକିତ୍ସାଳୟର ବର୍ହିବିଭାଗ ଓ ଅନ୍ତର୍ବିଭାଗ ଚିକିତ୍ସା ବନ୍ଦ ଥିଲା। ଏନେଇ ଜିଲ୍ଲାପ୍ରଶାସନ ମେଡ଼ିକାଲର ପ୍ରାୟ ୪୦ ଜଣ କର୍ମଚାରୀଙ୍କୁ ସଂଗରୋଧରେ ରହିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।
ତେବେ ଏକ ସପ୍ତାହ ପରେ ବର୍ତ୍ତମାନ ସମସ୍ତ କର୍ମଚାରୀଙ୍କ କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ ଆସିବା ପରେ ସମ୍ପୂର୍ଣ୍ଣ ମେଡିକାଲକୁ ସାନିଟାଇଜ କରିବା ସହ ଆଜିଠାରୁ ବର୍ହିବିଭାଗକୁ ଖୋଲିବା ପାଇଁ ପ୍ରଶାସନ ନିର୍ଦ୍ଦେଶ ଦେଇଛି। ମେଡିକାଲ ବନ୍ଦ ଥିବାରୁ ଜିଲ୍ଲାର ଅନେକ ଲୋକେ ନାନା ଅସୁବିଧାର ସମ୍ମୁଖୀନ ହେଉଥିଲେ। ଏନେଇ ଗତକାଲି ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ସ୍ବାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗଦେଇ ଏହି ନିଷ୍ପତି ନେଇଥିଲେ।