ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲା ସଦର ମହକୁମାସ୍ଥିତ କୋଭିଡ-୧୯ ହସ୍ପିଟାଲରେ ଡାକ୍ତର ଓ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀଙ୍କ ଉଦ୍ୟମରେ ଜଣେ ଗର୍ଭବତୀ ମହିଳା ଓ ତାଙ୍କ ନବଜାତ ଶିଶୁର ଜୀବନ ରକ୍ଷା କରାଯାଇପାରିଛି। ମିଳିଥିବା ରିପୋର୍ଟ ମୁତାବକ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ଗର୍ଭବତୀ ମହିଳା ଭର୍ତ୍ତି ହେବା ପରେ କରୋନା ଟେଷ୍ଟ ପାଇଁ ତାଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇଥିଲା। ତେବେ ପ୍ରସବ ପରେ ପରେ ତାଙ୍କ ରିପୋର୍ଟ ପଜିଟିଭ ଆସିଥିଲା। ଫଳରେ ଉଭୟଙ୍କୁ କୋଭିଡ ଚିକିତ୍ସାଳୟର ପ୍ରସୂତି ୱାର୍ଡରେ ଭର୍ତ୍ତି କରାଯାଇଥିଲା। ନବଜାତଙ୍କୁ ଜଣ୍ଡିସ ହୋଇଥିବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଅଧିକାରୀ ଡା.ଶକ୍ତି ପ୍ରସାଦ ମିଶ୍ର, କୋଭିଡ-୧୯ ହସ୍ପିଟାଲର ଚିକିତ୍ସାଧିକାରୀ ଡା.କୃଷ୍ଣଚନ୍ଦ୍ର ମହାପାତ୍ର, ଡା.ଅରୁଣ କୁମାର ପାଢ଼ୀ ଓ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ମିଳିତ ଉଦ୍ୟମରେ ନବଜାତକୁ ଫୋଟ ଥେରାପି ଦିଆଯାଇ ଜୀବନ ରକ୍ଷା କରାଯାଇଥିବା ବେଳେ ସ୍ୱତନ୍ତ୍ର ଯତ୍ନ ଏବଂ ଚିକିତ୍ସା ଦିଆଯାଇ ମା’ଙ୍କ ଜୀବନ ମଧ୍ୟ ରକ୍ଷା କରାଯାଇପାରିଛି। ତେବେ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀଙ୍କ ମିଳିତ ଉଦ୍ୟମରେ ମା’ ଓ ନବଜାତ ଶିଶୁର ଜୀବନ ରକ୍ଷା ହୋଇପାରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ କରି ପ୍ରଶଂସା କରିଛନ୍ତି।