ବିଷମ କଟକ ଉପ-କାରାଗାର ଓ କୋଭିଡ କେୟାର ସେଣ୍ଟର ପରିଦର୍ଶନ କଲେ ଜିଲ୍ଲାପାଳ

ରାୟଗଡ଼ା,ଏନ୍ଏନ୍ଏସ୍: ରାୟଗଡ଼ା ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ବିଷମ କଟକ ବ୍ଲକ ସ୍ଥିତ ଉପ-କାରାଗାର ପରିଦର୍ଶନ କରିଛନ୍ତି। ଜିଲ୍ଲାପାଳଙ୍କ ସହ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଡ. ଶ୍ରବଣ ବିବେକ ଏମ ଏବଂ ଜିଲ୍ଲା ଦୌରାଜଜ୍ ଚିତ୍ତରଞ୍ଜନ ଦାଶ ମଧ୍ୟ ପରିଦର୍ଶନରେ ଯାଇଥିଲେ। ପରିଦର୍ଶନ ସମୟରେ କାରାଗାରରେ ରହୁଥିବା ଅନ୍ତେବାସୀ, କର୍ମଚାରୀ ଓ ଜେଲର ସହ କାରାଗାର ପରିଚାଳନାରେ ଉପୁଜୁଥିବା ସମସ୍ୟା ବିଷୟରେ ଆଲୋଚନା କରିଥିଲେ।

କାରାଗାର ମଧ୍ୟରେ ଥିବା ସମସ୍ୟାଗୁଡିକର ସମାଧାନ ପାଇଁ ଉପସ୍ଥିତ ଅଧିକାରୀମାନେ ପ୍ରତିଶ୍ରୁତି ଦେଇଥିଲେ। କାରାଗାର ପରିଦର୍ଶନ ସାରି ଜିଲ୍ଲାପାଳ ଅଚାନକ ବିଷମ କଟକ ଗୋଷ୍ଠୀ ଉନ୍ନୟନ କାର୍ଯ୍ୟାଳୟକୁ ଯାଇଥିଲେ। ବ୍ଲକ କାର୍ଯ୍ୟାଳୟ ପରିସରରେ ଥିବା ଡଙ୍ଗରିଆ ମହିଳା ହିତାଧିକାରୀଙ୍କ ସହିତ ଆଲୋଚନା କରି ବିଭିନ୍ନ ସମସ୍ୟା ବିଶେଷ କରି ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ଚାଉଳ ଓ ବିଭିନ୍ନ ସାମାଜିକ ସହାୟତା ଯୋଜନା ତଥା ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା ଓ ଠିକ୍ ସମୟରେ ଚାଉଳ ପାଉଛନ୍ତି କି ନାହିଁ ପଚାରି ବୁଝିଥିଲେ। ଏଥି ସହ ବ୍ଲକ କାର୍ଯ୍ୟାଳୟ ପରିସରରେ ଥିବା ଜନସାଧାରଣଙ୍କୁ କରୋନା ମହାମାରୀର ମୁକାବିଲା ନିମନ୍ତେ ମାସ୍କ ପିନ୍ଧିବା ସହ ଜରୁରୀ ନଥିଲେ ଘରୁ ନ ବାହାରିବା ପାଇଁ ପରାମର୍ଶ ଦେଇଥିଲେ।

ଏଥିସହ ଜିଲ୍ଲାପାଳ ଶ୍ରୀବେହେରା ନାନୀରଗୁଡାଠାରେ କାର୍ଯ୍ୟକାରୀ ହେବାକୁଥିବା ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ କେୟାର ସେଣ୍ଟରର ପରିଦର୍ଶନ କରିଥିଲେ। ବୁଧବାର ସୁଦ୍ଧା ଏହି କୋଭିଡ କେୟାର ସେଣ୍ଟର କାର୍ଯ୍ୟକାରୀ ହେବ ବୋଲି ଜିଲ୍ଲାପାଳ ସୂଚନା ଦେଇଥିଲେ। କୋଭିଡ କେୟାର ସେଣ୍ଟର ପରିଦର୍ଶନ ସମୟରେ ଜିଲ୍ଲାପାଳଙ୍କ ସହ ବିଷମ କଟକ ବିଡିଓ ଆଲଭର୍ଟ ଲାକ୍ରା ଓ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।