ଭୁବନେଶ୍ୱର,ଏନ୍ଏନ୍ଏସ୍: ଭୁବନେଶ୍ୱରରୁ ଆଜି ୩୮ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୨୬ଜଣ ରହିଥିବାବେଳେ ୧୨ଜଣ ସ୍ଥାନୀୟ ରହିଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୪୦କୁ ବୃଦ୍ଧି ପାଇଛି । ଏଥିସହିତ ୨୬ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି।
ଆଜି କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ବିଜେବି ନଗରସ୍ଥିତ ଏକ ସରକାରୀ ଅଫିସର ୩ଜଣ ପୁରୁଷ କର୍ମଚାରୀ, ସରକାରୀ ହସ୍ପିଟାଲର ଜଣେ କର୍ମଚାରୀ, ୨ଟି ଘରୋଇ ହସ୍ପିଟାଲର ୪ଜଣ କର୍ମଚାରୀ ଓ କ୍ୱାରେଣ୍ଟାଇନ ସେଣ୍ଟରରୁ ୩ଜଣ ରହିଛନ୍ତି। ସେହିପରି ଚନ୍ଦ୍ରଶେଖରପୁର ବିଡିଏ କଲୋନୀ ଓ କଳିଙ୍ଗବିହାରରୁ ୨ ଲେଖାଏଁ, ବରମୁଣ୍ଡା, ଶାସ୍ତ୍ରୀନଗର, ଶୈଳଶ୍ରୀ ବିହାର, ଶିଖରଚଣ୍ଡୀ ବସ୍ତି, ମଞ୍ଚେଶ୍ୱର ଆଦିମାତା କଲୋନୀ, କେଦାରଗୌରୀ ବିହାର, ରସୁଲଗଡ଼, ପଳାଶୁଣୀ, ନୟାପଲ୍ଲୀ, ଆଚାର୍ଯ୍ୟ ବିହାରରୁ ଜଣେ ଲେଖାଏଁ କରୋନାରେ ସଂକ୍ରମିତ ହୋଇଛନ୍ତି।
