ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ବଲଣ୍ଡା ପଞ୍ଚାୟତର ଯୁବକ ବିଭୁ ଭୂୟାଁ କରେଣ୍ଟରେ ପୋଡି ହୋଇଯାଇଥିବା ବେଳେ ଅର୍ଥାଭାବରୁ ଚିକିତ୍ସାରୁ ବଞ୍ଚିତ ହେଉଥିଲେ। ତେବେ ଏ ସମ୍ପର୍କିତ ଖବର ନିତିଦିନରେ ପ୍ରକାଶ ପାଇବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଘଟଣାକୁ ଗୁରୁତର ଭାବେ ନିଆଯାଇଥିଲା। ଜିଲ୍ଲା ପ୍ରଶାସନ ପକ୍ଷରୁ ଉକ୍ତ ଯୁବକର ଚିକିତ୍ସା ପାଇଁ ଜିଲ୍ଲାପାଳ ସୁଧାଂଶୁ ମୋହନ ସାମଲ ବାରକୋଟ ତହସିଲଦାରଙ୍କୁ ଆବଶ୍ୟକ ଆର୍ଥିକ ସହାୟତା ପ୍ରଦାନ ପାଇଁ ନିର୍ଦ୍ଦେଶ ଦେବା ସହ ଚିକିତ୍ସା ପାଇଁ କଟକ ବଡ଼ ଡାକ୍ତରଖାନାକୁ ପଠାଯାଇଥିଲା। ମାତ୍ର ଆଜି ଚିକିତ୍ସାଧୀନ ଅବସ୍ଥାରେ ବିଭୁ ଭୂୟାଁର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ବିଭୂର ମୃତ୍ୟୁ ଖବର ପାଇ ଗ୍ରାମରେ ଶୋକାକୁଳ ବାତାବରଣ ସୃଷ୍ଟି ହେବା ସହ ବିଭୁର ଜୀବନ ବଞ୍ଚାଇବା ପାଇଁ ସାହାଯ୍ୟର ହାତ ବଢାଇଥିବା ବହୁ ବ୍ୟକ୍ତି ବିଶେଷ ଶୋକ ପ୍ରକାଶ କରିଛନ୍ତି।
ସୂଚନା ଅନୁସାରେ ଏପ୍ରିଲ ୧୬ ତାରିଖ ସନ୍ଧ୍ୟାରେ ବଲଣ୍ଡା ଗ୍ରାମ୍ୟ ଜଙ୍ଗଲ ରାସ୍ତାରେ ଜନ୍ତୁ ଶିକାର ପାଇଁ ଉକ୍ତ ଗ୍ରାମର ବାପ-ପୁଅ ୧୧ କେଭି ବିଦ୍ୟୁତ୍ ଚୋରି କରି ଫାସ ବସାଇଥିଲେ। ସେହି ସମୟରେ ଉକ୍ତ ରାସ୍ତାଦେଇ ବଲଣ୍ଡା ଗ୍ରାମର ମୁନୀ ଭୂୟାଁଙ୍କ ବଡ ପୁଅ ବିଭୁ ଭୂୟାଁ(୨୬) ନିଜ ଘରକୁ ଫେରୁଥିବା ବେଳେ ଏହି ବିଦ୍ୟୁତ୍ ଫାସରେ ଛନ୍ଦି ହୋଇ ଗୁରୁତର ପୋଡ଼ି ହୋଇଯାଇଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ପରିବାର ଲୋକେ ସେଠାରୁ ତାଙ୍କୁ ଉଦ୍ଧାର କରି ପ୍ରଥମେ ବାରକୋଟ ଓ ପରେ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ମାତ୍ର ସେଠାରେ ଅବସ୍ଥା ଗୁରୁତର ହେବାରୁ ବିଭୁଙ୍କୁ ବୁର୍ଲା ମେଡ଼ିକାଲକୁ ଫଠାଯାଇଥିଲା। ସେଠାରେ ତାଙ୍କର ଅସ୍ତ୍ରୋପଚାର କରାଯାଇ ବାମହାତ କଟାଯାଇଥିଲା। ସେହିପରି ତାଙ୍କ ଶରୀରର ୮୦ ପ୍ରତିଶତ ଅଂଶ ପୋଡିଯାଇଥିବାରୁ ଅଧିକ ଚିକିତ୍ସାର ଆବଶ୍ୟକତାଥିବା ଦର୍ଶାଇ ବୁର୍ଲା ଡାକ୍ତରଖାନାରୁ କଟକକୁ ସ୍ଥାନାନ୍ତର ପାଇଁ ପରିବାର ଲୋକଙ୍କୁ ପରାମର୍ଶ ଦିଆଯାଇଥିଲା। ମାତ୍ର ବିଭୁଙ୍କ ପରିବାର ଶ୍ରମିକ ଶ୍ରେଣୀର ହୋଇଥିବାରୁ ବିଭୁଙ୍କୁ କଟକ ନେବାରେ ଅସମର୍ଥ ହୋଇଥିଲେ। ପରେ ସେ ଘରକୁ ନେଇ ଆସିଥିଲେ। ଏ ସମ୍ପର୍କରେ ଖବର ପ୍ରକାଶ ପାଇବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆର୍ଥିକ ସହାୟତା ସହ ଚିକିତ୍ସା ବ୍ୟବସ୍ଥା କରାଯାଇଥିଲା।