କୋରୁକୋଣ୍ଡା,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲା ଓରକେଲ ଥାନା ଅନ୍ତର୍ଗତ ତାରଲାକୋଟା ଗ୍ରାମରେ ଗୁଣିଗାରେଡି ସନ୍ଦେହରେ ଜଣଙ୍କୁ ହତ୍ୟା କରାଯାଇଛି। ଗ୍ରାମର ସୁବାସ ଭୂୟାଁ ନାମକ ବ୍ୟକ୍ତିକୁ ସେହି ଗ୍ରାମର ଜଣେ ବ୍ୟକ୍ତି ବାଜା ମାଡକାମୀ ତୀର ମାରି ହତ୍ୟା କରିଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ ବାଜା ପ୍ରଥମେ ସୁବାସ ଘରକୁ ଯାଇ ତାକୁ ଡାକିଥିଲା। ମାତ୍ର ଘରୁ ସୁବାସର ପତ୍ନୀ ବାହାରି କ’ଣ ହେଲା ବୋଲି ପଚାରିବାରୁ ତାଙ୍କ ଉପରକୁ ବାଜା ଆକ୍ରମଣ କରିଥିଲା। ପରେ ସୁବାସ ଘରୁ ବାହାରି ଆସିବା ପରେ ବାଜା ତାକୁ ତୀରରେ ଆକ୍ରମଣ କରିଥିଲା।
ଏଥିରେ ସୁବାସ ଗୁରୁତର ହେବାରୁ ଗାଁ ଲୋକ ତାଙ୍କୁ କୋରୁକୋଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ସୁବାସର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଦେଖି ଡାକ୍ତର ମାଲକାନଗିରି ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବର୍ତ୍ତମାନ ବାଜାକୁ ଓରକେଲ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନାଧିକାରୀ ଜଗଦୀଶ ବାରା ସୂଚନା ଦେଇଛନ୍ତି।