କୋରାପୁଟ,ଏନ୍ଏନ୍ଏସ୍ : କୋରାପୁଟ ଜିଲ୍ଲାରେ ଆଜି ପୁଣି ୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୭୩କୁ ବୃଦ୍ଧି ପାଇଛି। ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ କଟକ ଫେରନ୍ତା ହୋଇଥିବାବେଳେ କୋରାପୁଟ ଓ ଜୟପୁରରୁ ଜଣେ ଲେଖାଏଁ ବୋଲି ଜିଲ୍ଲାପାଳ ମଧୁସୂଦନ ମିଶ୍ର ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ବୋରିଗୁମ୍ମାରୁ ଚିହ୍ନଟ ତିନିଜଣ ପୂର୍ବ ଆକ୍ରାନ୍ତଙ୍କ ସମ୍ପର୍କରେ ଆସି ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଉକ୍ତ ତିନିଜଣ ସ୍କୁଲ ଛାତ୍ର।
ସେମାନେ ପୂର୍ବରୁ କରୋନା ଆକ୍ରାନ୍ତ ହୋଇଥିବା ଶିକ୍ଷକଙ୍କ ସଂସ୍ପର୍ଶରେ ଆସିଥିଲେ। ଉକ୍ତ ଶିକ୍ଷକ ଜଣକ ପ୍ରାୟ ୯୦ ଜଣ ଛାତ୍ରଙ୍କୁ ଗୋଟିଏ ରୁମରେ ଲୁଚିଛପି ଟ୍ୟୁସନ ପଢାଇଥିଲେ। ତାଙ୍କ ସମ୍ପର୍କରେ ଆସିଥିବା ଛାତ୍ରଙ୍କ ମଧ୍ୟରୁ ଆଜି ତିନିଜଣ କରୋନା ଆକ୍ରାନ୍ତ ବୋଲି ଜଣାପଡ଼ିଛି। ତେଣୁ ବୋରିଗୁମ୍ମାରେ ଆକ୍ରାନ୍ତଙ୍କ ସଂଖ୍ୟା ଆହୁରି ଅଧିକ ବଢିବାର ସମ୍ଭାବନା ଥିବାରୁ ଜିଲ୍ଲାପାଳ ବୋରିଗୁମ୍ମା ପଞ୍ଚାୟତକୁ ବୁଧବାର ସଂନ୍ଧ୍ୟା ୬ଟାରୁ ଆସନ୍ତା ସୋମବାର ସଂନ୍ଧ୍ୟା୬ ଯାଏ ଅର୍ଥାତ୍ ୫ଦିନ ପାଇଁ ସଟଡାଉନ ଘୋଷଣା କରିଛନ୍ତି। ସେହିପରି ଦାମନଯୋଡ଼ି ସିଆଇଏସଏଫ୍ ଟିଏମସି, କୋରାପୁଟର ଜିଲ୍ଲା କୃଷି ଅଧିକାରୀ କାର୍ଯ୍ୟାଳୟ, ମାଳତି ସୁନା ଏଆରସିଏସ୍ କ୍ୱାର୍ଟର, ଜୟପୁରର ଖାଲ୍ ସାହି, ୱାର୍ଡ ନଂ ୬ ଅଞ୍ଚଳକୁ ୪ ଦିନ ପାଇଁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି।