କାନପୁର,ଏଜେନ୍ସି: କାନପୁରରେ କୁଖ୍ୟାତ ଅପରାଧୀ ବିକାଶ ଦୁବେ ଓ ତାର ଗ୍ୟାଙ୍ଗକୁ ଧରିବାକୁ ଯାଇଥିବା ବେଳେ ୮ ପୁଲିସ କର୍ମଚାରୀ ସହିଦ ହୋଇଥିଲେ। ଏହି ଘଟଣାର ମାଜିଷ୍ଟ୍ରେଟ୍ସ୍ତରୀୟ ତଦନ୍ତ ପାଇଁ ମଙ୍ଗଳବାର ରାଜ୍ୟ ସରକାର ନିର୍ଦେଶ ଦେଇଥିବା ବେଳେ ଏନେଇ ୧୦୦ ଜଣିଆ ଟିମ ଗଠନ ହୋଇଥିଲା। ପରେ ପୁଲିସ ତଦନ୍ତ ଜାରି ରଖିଥିବା ବେଳେ ବିକାଶର ବୋହୂ ଚମ୍ପା ଓ ଘରୋଇ ସହାୟିକା ରେଖା ଅଗ୍ନିହୋତ୍ରୀଙ୍କ ସହ ଜଣେ ପଡ଼ୋଶୀ ସୁରେଶ ବର୍ମାଙ୍କୁ ଗିରଫ କରିଛି। ଏମାନେ ବିକାଶ ଓ ତାର ଲୋକଙ୍କୁ ପୁଲିସ ସମ୍ପର୍କରେ ସୂଚନା ପ୍ରଦାନ ସହ ଅନ୍ୟାନ୍ୟ ସହଯୋଗ ଯୋଗାଇ ଦେଉଥିବା ଅଭିଯୋଗ ରହିଛି।
ଗୁଳି ବିନିମୟ ସମୟରେ ପୁଲିସ ବାରମ୍ବାର କହିବା ସତ୍ତ୍ବେ ଚମ୍ପା ଘର କବାଟ ଖୋଲି ନଥିଲେ। ସେତେବେଳେ ରେଖା ଓ ସୁରେଶ ସବୁ ପୁଲିସଙ୍କୁ ହତ୍ୟା କରିବା ପାଇଁ ଓ କାହାକୁ ଜଣକୁ ବି ଜୀବିତ ନ ଛାଡ଼ିବା ପାଇଁ ବିକାଶ ବାହିନୀକୁ କହୁଥିବା ଶୁଣାଯାଉଥିଲା। ବିକାଶର ଘନିଷ୍ଠ ସହଯୋଗୀ ଦୟାଶଙ୍କର ଅଗ୍ନିହୋତ୍ରୀକୁ ଚମ୍ପା ବିବାହ କରିଛନ୍ତି। ଦୟାଶଙ୍କର ନିକଟସ୍ଥ ଗ୍ରାମରୁ ଗିରଫ ହେବା ପରେ ପୁଲିସ ହେପାଜତରେ ରହିଛି। ଚୌବେପୁର ଥାନାରୁ ପୁଲିସ ଚଢ଼ଉ ସମ୍ପର୍କରେ ବିକାଶ ଆଗୁଆ ଖବର ପାଇଥିଲା ବୋଲି ଦୟା ସ୍ୱୀକାର କରିଛି।
କାନପୁର ପୁଲିସ ଆଇଜି ମୋହିତ ଅଗ୍ରୱାଲଙ୍କ ସୂଚନାନୁଯାୟୀ, ବିକାଶ ସହିତ ସମ୍ପର୍କ ଥିବା ସନ୍ଦେହରେ ସ୍ବତନ୍ତ୍ର ତଦନ୍ତକାରୀ ଦଳ ଇତିମଧ୍ୟରେ ୨୦୦ ପୁଲିସ କର୍ମଚାରୀଙ୍କୁ ଜେରା କରିସାରିଲାଣି। ଏମାନଙ୍କ ମଧ୍ୟରେ ଚୌବେପୁର ସମେତ ନିକଟସ୍ଥ ବିଲହାପୁର, କକୱାନ ଓ ଶିବରାଜପୁର ଥାନାର ମୋଟ ୧୦ କର୍ମଚାରୀଙ୍କୁ ନିଲମ୍ବନ କରାଗଲାଣି। ଅନ୍ୟ ଥାନାରୁ ୧୦ କର୍ମଚାରୀଙ୍କୁ ଚୌବେପୁରରେ ନିଯୁକ୍ତ କରାଯାଇଛି। ତଦନ୍ତକାରୀ ଅଧିକାରୀ କେ.କେ ଶର୍ମାଙ୍କ କହିବାନୁସାରେ ଜୁଲାଇ ୨ ଅପରାହ୍ଣରେ ବିକାଶ ପୁଲିସକୁ ଫୋନ୍ ଯୋଗେ ଆଗକୁ ନ ବଢ଼ିବା ପାଇଁ ଧମକ ଦେଇଥିଲା।