ନୂଆଦିଲ୍ଲୀ,ଏନ୍ଏନ୍ଏସ୍: ସମଗ୍ର ବିଶ୍ୱରେ କରୋନା ମହାମାରୀ ଭୟାବହ ରୂପ ନେଇଥିବା ବେଳେ ଭାରତରେ ଏହି ସଂକ୍ରମଣକୁ ଦୃଷ୍ଟିରେ ରଖି ଦେଶର ସବୁ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। ଫଳରେ ଚଳିତବର୍ଷ ପିଲାଙ୍କ ପଢ଼ା ଗୁରୁତର ବାଧାପ୍ରାପ୍ତ ହୋଇଛି। ସେହିପରି କେବେ ସ୍କୁଲ ଖୋଲିବ, ପାଠପଢ଼ା ହେବ ସେନେଇ ଛାତ୍ରଛାତ୍ରୀମାନେ ଅନିଶ୍ଚିତତା ଭିତରେ ଗତି କରୁଥିଲାବେଳେ ଅଭିଭାବକମାନେ ମଧ୍ୟ ପିଲାଙ୍କ ଭବିଷ୍ୟତ ନେଇ ଚିନ୍ତିତ ହୋଇପଡିଛନ୍ତି। ତେବେ କେନ୍ଦ୍ର ସରକାର ନିର୍ଦ୍ଧାରିତ ସମୟରେ ପାଠ୍ୟକ୍ରମ ସାରିବା ଏବଂ ପରୀକ୍ଷା କରିବା ଲକ୍ଷ୍ୟରେ ‘କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ’ (ସିବିଏସଇ) ସିଲାବସ୍ ବା ପାଠ୍ୟ ଖସଡ଼ାକୁ ଚଳିତ ବର୍ଷ ପାଇଁ ୩୦% ହ୍ରାସ କରିବାକୁ ଘୋଷଣା କରିଛନ୍ତି।
ପାଠ୍ୟକ୍ରମରୁ କେଉଁ ବିଷୟ ବାଦ ଦିଆଯିବ ଓ କେଉଁ ବିଷୟ ରହିବ, ସେ ବିଷୟରେ ସିବିଏସଇ ଦ୍ୱାରା ଗଠିତ କମିଟି ନିଷ୍ପତ୍ତି ନେବ। ଯେଉଁ ବିଷୟଗୁଡିକ ପାଠ୍ୟକ୍ରମରୁ ବାଦ୍ ପଡିବ ସେ ସମ୍ପର୍କିତ ପ୍ରଶ୍ନ ଇଣ୍ଟରନାଲ ଆସେସମେଣ୍ଟ କିମ୍ବା ବାର୍ଷିକ ପରୀକ୍ଷାରେ ଆସିବ ନାହିଁ ବୋଲି କୁହାଯାଇଛି। ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ ଏ ବିଷୟରେ ସୂଚନା ଦେଇଛନ୍ତି। ଏଥିସହ ସେ କହିଛନ୍ତି ଯେ ସିବିଏସଇର ୯ମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସିଲାବସକୁ ୩୦% ହ୍ରାସ କରାଯିବ।