ସରକାରୀ କର୍ମଚାରୀଙ୍କୁ ସୋସିଆଲ ମିଡିଆ ମନା

ଭୁବନେଶ୍ୱର,ଏନ୍ଏନ୍ଏସ୍: ସରକାରୀ କର୍ମଚାରୀଙ୍କ ଲାଗି ସୋସିଆଲ ମିଡିଆ ଉପରେ ମତ ରଖିବା ନେଇ କଟକଣା ଜାରି ହୋଇଛି। ଏନେଇ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତିରେ ଦର୍ଶାଯାଇଛି ଯେ, କୌଣସି କର୍ମଚାରୀ ନିଜର ଚାକିରି, ଦରମା ଓ ପଦୋନ୍ନତି ସମ୍ପର୍କରେ ଗଣମାଧ୍ୟମ କିମ୍ବା ସୋସିଆଲ ମିଡିଆରେ ମୁହଁ ଖୋଲିପାରିବେ ନାହିଁ। ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ଆଜି ପୁଣିଥରେ ୨୦୧୭ ଜୁନ୍ ୨୯ ତାରିଖର ଏହି ନିର୍ଦ୍ଦେଶନାମାକୁ ସମସ୍ତ ବିଭାଗୀୟ ସଚିବଙ୍କ ନିକଟକୁ ପଠାଇବା ସହ ସୋସିଆଲ ମିଡିଆରେ କର୍ମଚାରୀମାନେ ରଖୁଥିବା ମତକୁ ଚାକିରି ସର୍ତ୍ତାବଳୀର ଉଲ୍ଲଂଘନ ଭାବେ ବିବେଚନା କରିବାକୁ କହିଛନ୍ତି।

ରାଜ୍ୟ ସାଧାରଣ ପ୍ରଶାସନ ବିଭାଗର ପ୍ରମୁଖ ସଚିବ ସଞ୍ଜୀବ ଚୋପ୍ରା ଏହି ନିର୍ଦ୍ଦେଶନାମା ଜାରି କରି କହିଛନ୍ତି ଯେ, ସରକାରୀ କର୍ମଚାରୀମାନେ ବିଶେଷକରି କେତେକ ଚୁକ୍ତିଭିତ୍ତିକ କର୍ମଚାରୀ ନିଜର ଚାକିରିକୁ ନେଇ ରହିଥିବା ଅଭିଯୋଗକୁ କର୍ତ୍ତୃପକ୍ଷଙ୍କ ନିକଟରେ ପହଞ୍ଚାଇବା ପାଇଁ ସୋସିଆଲ ମିଡିଆକୁ ଉପଯୋଗ କରୁଛନ୍ତି। ଏପରିକି ନିଜର ଉପରିସ୍ଥ ଅଧିକାରୀଙ୍କ ବାବଦରେ ବି ବୟାନ ରଖୁଛନ୍ତି। ଏହା ବିଶୃଙ୍ଖଳିତ ଆଚରଣ ଓ ସରକାରୀ କର୍ମଚାରୀଙ୍କ ଚାକିରି ସର୍ତ୍ତାବଳୀର ଉଲ୍ଲଂଘନ ମଧ୍ୟ।

ଓଡ଼ିଶା ସରକାରୀ କର୍ମଚାରୀଙ୍କ ଚାକିରି ସର୍ତ୍ତାବଳୀ-୧୯୫୯ର ରୁଲ୍-୭ ଅନୁସାରେ ସରକାରୀ କର୍ମଚାରୀମାନେ ସରକାରଙ୍କ କୌଣସି ନୀତି ଓ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ସର୍ବସାଧାରଣରେ, ଗଣମାଧ୍ୟମରେ ସୂଚନା ଆଦାନପ୍ରଦାନ କରିବା ଉପରେ କଟକଣା ରହିଛି। ପ୍ରିଣ୍ଟ ଓ ଇଲେକ୍ଟ୍ରୋନିକ୍ସ ମିଡିଆରେ ଲେଖା ଓ ବୟାନ ଦେବା ଉପରେ କଟକଣା ଜାରି ନିମନ୍ତେ ଏହି ପରାମର୍ଶ ଦିଆଯାଇଛି। ଏହି ନିୟମର ରୁଲ୍-୨୩ ଅନୁସାରେ ସରକାରୀ ଚାକିରିରେ ନିଯୁକ୍ତି, ପଦୋନ୍ନତି, ଦରମା ଓ ଅନ୍ୟାନ୍ୟ ସେବା ସମ୍ପର୍କରେ କୌଣସି ସରକାରୀ କର୍ମଚାରୀ ପ୍ରଭାବିତ କରାଇ ପାରିବେ ନାହିଁ ବୋଲି ଉକ୍ତ ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି।