ଦେବଗଡ଼,ଏନ୍ଏନ୍ଏସ୍ : ଦେବଗଡ଼ ଥାନା ଅନ୍ତର୍ଗତ କାଲକାଠ ଗ୍ରାମରେ ଥିବା ଏକ ମୁକୁଳା ଟ୍ରାନ୍ସଫର୍ମର ସଂସ୍ପର୍ଶରେ ଆସି ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି । ମିଳିଥିବା ରିପୋର୍ଟ ମୁତାବକ, ଆଜି ସକାଳ ପ୍ରାୟ ୫ଟା ସମୟରେ କାଲକାଠ ଗ୍ରାମର କାର୍ତ୍ତିକ ପାତ୍ରଙ୍କ ପୁଅ ବିଶ ପାତ୍ର (୩୫) ଏହି ମୁକୁଳା ଟ୍ରାନ୍ସଫର୍ମର ସଂସ୍ପର୍ଶରେ ଆସିବାରୁ ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ। ପରେ ଗ୍ରାମବାସୀଙ୍କଠାରୁ ଖବର ପାଇ ବିଦ୍ୟୁତ ବିଭାଗ କର୍ମଚାରୀ ସମଗ୍ର ଅଂଚଳରେ ବିଦ୍ୟୁତ ସରବରାହ ବିଛିନ୍ନ କରି ଦେବଗଡ଼ ଥାନା ପୁଲିସକୁ ସୂଚନା ଦେଇଥିଲେ। ସୂଚନା ପାଇ ଦେବଗଡ଼ ଥାନା ପୁଲିସ ଘଟଣାସ୍ଥଳରେ ପହଂଚି ମୃତଦେହ ଉଦ୍ଧାର କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ମୃତଦେହ ବ୍ୟବଛେଦ ପାଇଁ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିବା ଜଣାପଡ଼ିଛି। ତେବେ ବିଦ୍ୟୁତ ବିଭାଗର ଅବହେଳା କାରଣରୁ ଟ୍ରାନ୍ସଫର୍ମର ନିକଟରେ ସୁରକ୍ଷାବାଡ଼ ଦିଆଯାଇନଥିବା ଏବଂ ଟ୍ରାନ୍ସଫର୍ମର ସ୍ଥାପନ ପାଇଁ ନିର୍ଦ୍ଧାରିତ ଉଚ୍ଚତାକୁ ଅଣଦେଖା କରାଯାଇ ଟ୍ରାନ୍ସଫର୍ମର ଖଞ୍ଜା ଯାଇଥିବାରୁ ଏଭଳି ଦୁର୍ଘଟଣା ଘଟିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।