ଭୁବନେଶ୍ୱରରୁ ଆଜି ୧୭ ନୂଆ କରୋନା ପଜିଟିଭ ଚିହ୍ନଟ: ୨ କୋଭିଡ ଯୋଦ୍ଧା ସାମିଲ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଭୁବନେଶ୍ୱରରୁ ଆଜି ୧୭ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସମ୍ପୃକ୍ତ ଆକ୍ରାନ୍ତଙ୍କ ମଧ୍ୟରୁ ସ୍ଥାନୀୟ ୧୦ଜଣ, କ୍ୱାରେଣ୍ଟାଇନରୁ ୫ଜଣ ଓ ୨ଜଣ କୋଭିଡ ଯୋଦ୍ଧା ରହିଛନ୍ତି। ଏଥିସହିତ ୪ଜଣ ଆରୋଗ୍ୟ ଲାଭ କରିଥିବା ନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଚିହ୍ନଟ ହୋଇଥିବା ସ୍ଥାନୀୟ ସଂକ୍ରମଣଙ୍କ ମଧ୍ୟରେ ଡୁମୁଡୁମା ରଘୁନାଥପୁର ବସ୍ତିରୁ ୨ଜଣ ରହିଥିବାବେଳେ ପଟିଆ, ବିଜେବି ନଗରସ୍ଥିତ ପାଣିଟାଙ୍କି ବସ୍ତି, ଦାସପୁର, ଶତାଦ୍ଦୀ ନଗର ଓ ଚକେଇସିଆଣୀରୁ ଜଣେ ଲେଖାଏଁ ରହିଛନ୍ତି। ସେହିପରି ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣେ ମହିଳା ଓ ଏକ ସରକାରୀ ହସ୍ପିଟାଲର ୨ଜଣ ପୁରୁଷ କର୍ମଚାରୀ କରୋନାରେ ସଂକ୍ରମିତ ହୋଇଛନ୍ତି।

ଅନ୍ୟପଟେ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ପଟିଆ ବିଗ ବଜାର ନିକଟରୁ ୨ଜଣ, ଜୟଦେବ ବିହାର, ଚନ୍ଦ୍ରଶେଖରପୁର ଓ ୟୁନିଟ-ଆଇଭିରୁ ଜଣେ ଲେଖାଏଁ ରହିଛନ୍ତି। ସେହିପରି କୋଭିଡ ହସ୍ପିଟାଲର ୨ଜଣ କରୋନା ଯୋଦ୍ଧା ପଜିଟିଭ ଚିହ୍ନଟ ହୋଇଛନ୍ତି।

ଆଜି ସୁସ୍ଥ ହୋଇଥିବା ୪ଜଣଙ୍କ ମଧ୍ୟରେ ଏକ ଘରୋଇ ହସ୍ପିଟାଲର ୨ଜଣ କର୍ମଚାରୀ, ଡୁମଡୁମା ଓ ରସୁଲଗଡ଼ରୁ ଜଣେ ଲେଖାଏଁ ରହିଛନ୍ତି।

ସୂଚନାଯୋଗ୍ୟ,ଭୁବନେଶ୍ୱରରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୫୦ ହୋଇଥିବାବେଳେ ୨୭୪ଜଣ ସୁସ୍ଥ ହୋଇଛନ୍ତି। ସେହିପରି ୬ଜଣଙ୍କର ମୃତ୍ୟୁ ଘଟିଛି ଓ ୧୬୯ଜଣ ଚିକିତ୍ସାଧୀନ ଅଛନ୍ତି।