ଗୁଣୁପୁରର ଗୋଟିଏ ଗ୍ରାମରୁ ସର୍ବାଧିକ  ୭୪ କରୋନା ପଜିଟିଭ ଚିହ୍ନଟ

ରାୟଗଡ଼ା,ରାମନାଗୁଡ଼ା,ଏନ୍ଏନ୍ଏସ୍: ରାୟଗଡ଼ା ଜିଲ୍ଲାରେ ଆଜି ୭୬ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସମ୍ପୃକ୍ତ ଆକ୍ରାନ୍ତଙ୍କ ମଧ୍ୟରୁ ଗୁଣୁପୁର ବ୍ଲକ ସିରିଝୋଲି ପଞ୍ଚାୟତର ବିଜୟପୁର ଗ୍ରାମରୁ ୭୪ଜଣ, ଶାନ୍ତିନଗର ଓ ରାୟଗଡ଼ା କସ୍ତୁରୀ ନଗର ଅଂଚଳରୁ ଜଣେ ଲେଖାଏଁ ରହିଛନ୍ତି। ସେଥିପାଇଁ ବିଜୟପୁର ଗ୍ରାମ ସମେତ ଶାନ୍ତିନଗର ଓ କସ୍ତରୀ ନଗର ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ଅଗ୍ନିଶମ ବିଭାଗ ପକ୍ଷରୁ ଉକ୍ତ ଅଞ୍ଚଳକୁ ସାନିଟାଇଜ କରାଯାଇଛି।

ସୂଚନାଯୋଗ୍ୟ,ବିଜୟପୁର ଗ୍ରାମର କୋଏମ୍ବାତୁର ଫେରନ୍ତା ସୁପରସ୍ପ୍ରେଡର ହୋଇଥିବାବେଳେ ସେମାନଙ୍କ ସଂସ୍ପର୍ଶରେ ଆସି ଆଉ ୧୩ଜଣ ପଜିଟିଭ ଚିହ୍ନଟ ହୋଇଥିଲେ। ଫଳରେ ପ୍ରଶାସନ ପକ୍ଷରୁ କଣ୍ଟାକ୍ଟ ଟ୍ରେସିଂ କରାଯାଇଥିଲା। ଆଉ ଏହାର ପରିଣାମସ୍ୱରୂପ ଆଜି ଆଉ ୭୪ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହିତ ବିଜୟପୁର ଗ୍ରାମର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୦ରେ ପହଂଚିଛି। ଏଭଳି ଅଣାୟତ ପରିସ୍ଥିତିକୁ ନଜରରେ ରଖି ଜିଲ୍ଲା ପ୍ରଶାସନ ସପ୍ତାହରେ ଶନିବାର ଓ ରବିବାର ସମଗ୍ର ରାୟଗଡ଼ା ଜିଲ୍ଲାକୁ ସଟଡାଉନ ଘୋଷଣା କରିଛନ୍ତି ।