ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଗୋଟିଏ ବାଇକରେ ଯାଉଥିବା ୪ ନାବାଳକ ମୃତ

କୋରାପୁଟ,ଏନ୍ଏନ୍ଏସ୍: କୋରାପୁଟ ଜିଲ୍ଲା ପାଡୁଆ ଥାନା ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଗୋଟିଏ ବାଇକରେ ଯାଉଥିବା ୪ଜଣ ନାବାଳକଙ୍କ ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ, କୋରାପୁଟର ପାଡୁଆ ପୂର୍ତ୍ତ ବିଭାଗ ଛକ ନିକଟରେ ଗତକାଲି ରାତି ପ୍ରାୟ ୧୨ଟା ବେଳେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି।

ବାଇକରେ ନାବାଳକମାନେ ଗାଁକୁ ଫେରୁଥିବା ବେଳେ ପାଡୁଆ ପୂର୍ତ୍ତ ବିଭାଗ ଛକ ନିକଟରେ ଥିବା ଏକ ବୁଲାଣିରେ ବାଇକ୍‌ଟି ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସି ଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ସମସ୍ତଙ୍କ ମୃତ୍ୟୁ ଘଟିଥିଲା। ଖବରପାଇ ପାଡୁଆ ଥାନା ପୁଲିସ ଆଜି ସକାଳେ ମୃତଦେହଗୁଡ଼ିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପାଡୁଆ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଛି।

ମୃତକମାନେ ହେଲେ ପାଡ଼ୁଆ ଗାଁର ଗୋପାଳ କୃଷ୍ଣ ମହାନ୍ତିଙ୍କ ପୁଅ ପଙ୍କଜ ମହାନ୍ତି (୧୫), ନରସିଂହ ଖରାଙ୍କ ପୁଅ ପ୍ରଶାନ୍ତ ଖରା(୧୬), ମହେଶ୍ୱର ଖିଲଙ୍କ ପୁଅ ଶଶିକାନ୍ତ ଖିଲ(୧୧) ଓ ସୋନୁ ହନ୍ତାଳଙ୍କ ପୁଅ କୃଷ୍ଣ ହନ୍ତାଳ(୧୨)। ସେମାନେ ସମସ୍ତେ ଗତକାଲି ରାତି ପ୍ରାୟ ସାଢେ ୮ଟା ବେଳେ ଗୋଟିଏ ବାଇକ(ଏପି-୩୧- ଟିଡବ୍ଲୁ-୯୨୭୨)ରେ ବୁଲିବାକୁ ଯାଇଥିଲେ।