ଦାରିଙ୍ଗବାଡ଼ିରେ ଶିଶୁ ବିକାଶ ଯୋଜନା ଫେଲ୍, ଅପପୁଷ୍ଟିର ଶିକାର ହେଉଛନ୍ତି ଶିଶୁ

ଦାରିଙ୍ଗବାଡ଼ି,ଏନ୍ଏନ୍ଏସ୍: ରାଜ୍ୟ ସରକାର ରାଜ୍ୟବାସୀଙ୍କ ପାଇଁ ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଯୋଜନା ପରେ ଯୋଜନା କରିଛନ୍ତି। ରାଜ୍ୟରେ ଥିବା ଗରିବ ଲୋକମାନେ ଏଥିରୁ ଉପକୃତ ହୋଇପାରିବେ। ମାତ୍ର କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ି ବ୍ଳକରେ ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଅଲଗା। ସରକାରଙ୍କ ଏହି ଯୋଜନା ଯେ ବାସ୍ତବ ସ୍ଥିତି ଠାରୁ ଯୋଜନ ଯୋଜନ ଦୂରରେ ରହିଛି ତାହା କହିଲେ ଅତ୍ୟୁକ୍ତି ହେବ ନାହିଁ। ଦାରିଙ୍ଗବାଡ଼ି ବ୍ଲକର ଦୁର୍ଗମ ସୋନପୁର ପଞ୍ଚାୟତର ବୁଡ୍ରାପାଙ୍ଗା ଗ୍ରାମର ଶିଶୁମାନେ ଅପପୁଷ୍ଟିର ଶିକାର ହେଉଥିବା ଅଭିଯୋଗ ହୋଇଛି। କେବଳ ସେତିକି ନୁହେଁ, ଅନେକ ଶିଶୁମାନଙ୍କ ଶରୀରରେ କାଛୁକୁଣ୍ଡିଆ ଭର୍ତ୍ତି ହୋଇଥିବା ବେଳେ ସେମାନଙ୍କୁ ଉନ୍ନତ ସ୍ୱାସ୍ଥ୍ୟସେବା ମିଳିପାରୁନଥିବା ଅଭିଯୋଗ ହୋଇଛି।

ଅଭିଯୋଗ ମୁତାବକ ଦାରିଙ୍ଗବାଡ଼ି ବ୍ଲକ ସୋନପୁର ପଞ୍ଚାୟତର ବୁଡ୍ରାପାଙ୍ଗା ଗ୍ରାମର ଅଶ୍ୱିନ ପ୍ରଧାନଙ୍କ ଏକ ବର୍ଷର ଶିଶୁ ପୁତ୍ର ବିଜୁ ଅପପୁଷ୍ଟିର ଶିକାର ହୋଇଥିବା ଦେଖିବାକୁ ମିଳିଛି। ପରିବାର ବର୍ଗ ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ଅଶ୍ୱିନ ନିଜ ଶିଶୁ ପୁତ୍ରର ଚିକିତ୍ସା କରାଇ ପାରିନାହାନ୍ତି। ଅଶ୍ୱିନଙ୍କ କହିବା ଅନୁସାରେ ଗତ ବର୍ଷ ଜୁନ ମାସରେ ତାଙ୍କର ଶିଶୁ ବିଜୁ ଜନ୍ମ ହୋଇଥିଲା। ତେବେ ଜନ୍ମ ହେବାର ଏକ ବର୍ଷରୁ ଊର୍ଦ୍ଧ୍ୱ ସମୟ ବିତିଯାଇଥିଲେ ସୁଦ୍ଧା ବିଜୁର ଶରୀରର କୌଣସି ଉନ୍ନତି ହୋଇନାହିଁ। ସେ ଜନ୍ମ ସମୟରେ ଯେଉଁଭଳି ରହିଥିଲା ଏବେ ମଧ୍ୟ ସେହିଭଳି ରହିଛି। କେବଳ ସେତିକି ନୁହେଁ ଅପପୁଷ୍ଟିର ଶିକାର ହୋଇଥିବାରୁ ବୟସ ଅନୁପାତରେ ଶିଶୁଟିର ଓଜନ ମଧ୍ୟ କମିକମି ଯାଉଛି ବୋଲି ବାପା ଅଶ୍ୱିନ ଅଭିଯୋଗ କରିଛନ୍ତି।

ବିଜୁ ମାତ୍ର ଏକ ଉଦାହରଣ, ଏହିଭଳି ଭାବେ ବହୁ ଶିଶୁ ଅପପୁଷ୍ଟିର ଶିକାର ହୋଇଥିବା ଦେଖିବାକୁ ମିଳିଛି। ଅନ୍ୟପକ୍ଷରେ ବୁଡ୍ରାପାଙ୍ଗା ଗ୍ରାମରେ ପାନୀୟ ଜଳର ସମସ୍ୟା ହେତୁ ଗ୍ରାମର ଅନେକ ଶିଶୁ ଚର୍ମରୋଗରେ ପୀଡ଼ିତ ହୋଇଛନ୍ତି। ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ପୁଷ୍ଟି ପୁନର୍ବାସ କେନ୍ଦ୍ର ଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ତଥା କର୍ମଚାରୀଙ୍କ ପାଖରେ ଏନେଇ କୌଣସି ସୂଚନା ନାହିଁ। ଏମିତିକି ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଉଥିବା ଅଙ୍ଗନବାଡ଼ି କର୍ମୀ କିମ୍ବା ଆଶା କର୍ମୀଙ୍କ ପାଖରେ ବି କୌଣସି ସୂଚନା ନାହିଁ।

ଏ ସମ୍ପର୍କରେ ଦାରିଙ୍ଗବାଡ଼ି ସମନ୍ୱିତ ଶିଶୁ ବିଭାଗ ଅଧିକାରୀ ସିଡିପିଓ ଦ୍ରୌପଦୀ କହଁରଙ୍କ ସହ ଯୋଗାଯୋଗ କରାଯାଇଥିବା ବେଳେ ସେ ଏହି ଘଟଣାର ତଦନ୍ତ କରାଯିବ ବୋଲି କହିଥିଲେ। ସେହିପରି ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଜୟପାଲ ସେନାପତିଙ୍କୁ ଏ ବାବଦରେ କହିବାରୁ ସେ ଘଟଣାର ଅନୁଧ୍ୟାନ କରି ଗ୍ରାମରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯିବ ବୋଲି କହିଥିଲେ।