ପଙ୍ଗପାଳକୁ ରୋକିବା ପାଇଁ ଡିଜେ, ଢ଼ୋଲ, ଡ୍ରମ ବଜାଇବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ପଙ୍ଗପାଳ ଦଳ ଏବେ ଗୁରୁଗ୍ରାମରୁ ଦିଲ୍ଲୀକୁ ପ୍ରବେଶ କରିଛି। ସେଥିପାଇଁ ବିପଦକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏକ ଜରୁରୀକାଳୀନ ବୈଠକ ଡକାଇଥିଲେ। ଏଥିରେ ବିକାଶ ସଚିବାଳୟ, କୃଷି ନିର୍ଦ୍ଦେଶକ, ଦକ୍ଷିଣ ଓ ପଶ୍ଚିମ ଜିଲ୍ଲାର ଜିଲ୍ଲାପାଳ ଓ ଡିଭିଜନାଲ କମିସନର ପ୍ରମୁଖ ଉପସ୍ଥିତ ଥିଲେ। ବୈଠକ ପରେ ଦିଲ୍ଲୀର ପରିବେଶ ମନ୍ତ୍ରୀ ଗୋପାଳ ରାୟ କହିଛନ୍ତି କି, ଡ୍ରମ, ଢୋଲ ଓ ଡିଜେ ବଜାଇବା ସହ କୀଟନାଶନ ଛିଂଚିବାକୁ ବନ ବିଭାଗକୁ ଆଦେଶ ଦିଆଯାଇଛି।

ସୂଚନା ମୁତାବକ, ଦିଲ୍ଲୀରେ ଏବେସୁଦ୍ଧା ଅଳ୍ପସଂଖ୍ୟକ ପଙ୍ଗପାଳ ଆସିଥିଲେ ହେଁ ସ୍ଥିତି ଉପରେ ସମ୍ପୂର୍ଣ୍ଣରୂପେ ନଜର ରଖାଯାଇଛି। ଦକ୍ଷିଣ ଓ ପଶ୍ଚିମ ଜିଲ୍ଲାକୁ ହାଇ ଆଲର୍ଟ ଘୋଷଣା କରାଯାଇଛି। କେନ୍ଦ୍ର ସରକାରଙ୍କ ଅଧିକାରୀ ସମ୍ପର୍କରେ ରହିଛନ୍ତି ଓ ହରିୟାଣାରୁ ଯଦି ପଙ୍ଗପାଳର ଆଗମନରେ ପରିବର୍ତ୍ତନ ହୁଏ ସେଥିପାଇଁ ମଧ୍ୟ ସମସ୍ତ ପ୍ରସ୍ତୁତି ସରିଛି।