ରାମନାଗୁଡ଼ା,ଏନ୍ଏନ୍ଏସ୍: ରାୟଗଡ଼ା ଜିଲ୍ଲା ରାମନାଗୁଡ଼ା ବ୍ଲକ୍ ଗୋଗୁପାଡୁ ଅଞ୍ଚଳରେ ଜଣେ ୨୫ ବର୍ଷୀୟ ଯୁବକ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି। ସେ ଗୋଗୁପାଡୁ କ୍ୱାରେଣ୍ଟାଇନ କେନ୍ଦ୍ର ରହିଥିବା ବେଳେ ଆନ୍ଧ୍ରପ୍ରଦେଶ ବିଜୟନଗରମରୁ ଫେରିଥିଲେ। ତାଙ୍କର କରୋନା ରିପୋର୍ଟ ପଜିଟିଭ ଆସିବା ପରେ ଏକ ସ୍ୱତନ୍ତ୍ର ଆମ୍ବୁଲାନ୍ସ ଯୋଗେ ଗୁଣୁପୁର କୋଭିଡ କେୟାର ସେଣ୍ଟରକୁ ନିଆଯାଇଛି।
ଏଥିସହ କରୋନା ଚିହ୍ନଟ ହୋଇଥିବା ଅଞ୍ଚଳକୁ ସାଧାରଣ ଲୋକଙ୍କ ଯିବା ଆସିବା ନେଇ କଟକଣା ଜାରି କରାଯାଇଛି। ଗୁଣୁପୁର ବ୍ଲକ୍ ବିଜୟପୁର ଗ୍ରାମରୁ ୧୩ ଜଣ କରୋନା ଚିହ୍ନଟ ହୋଇଥିବା ବେଳେ ଆକ୍ରାନ୍ତମାନଙ୍କ କଣ୍ଟାକ୍ଟ ଟ୍ରେସିଂ ରିପୋର୍ଟ ପ୍ରଶାସନର ଚିନ୍ତା ବଢ଼ାଇଛି। ଫଳରେ ସଂକ୍ରମଣକୁ ଦୃଷ୍ଟିରେ ରଖି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିବା ସହିତ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିବା ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ସୂଚନା ଦେଇଛନ୍ତି।