ଜୁଲାଇ ୧୫ ସୁଦ୍ଧା ବାହାରିବ ସିବିଏସଇ ଓ ଆଇସିଏସଇ ପରୀକ୍ଷାଫଳ

ନୂଆଦିଲ୍ଲୀ: ସିବିଏସଇ ଓ ଆଇସିଏସଇ ଦଶମ ଓ ଦ୍ୱାଦଶ ପରୀକ୍ଷା ଫଳ ଜୁଲାଇ ୧୫ ସୁଦ୍ଧା ପ୍ରକାଶ ପାଇବ। ସୁପ୍ରିମକୋର୍ଟରେ ଏନେଇ ଦାୟର ହୋଇଥିବା ଏକ ପିଟିସନର ଶୁଣାଣି ସମୟରେ ଉଭୟ ବୋର୍ଡ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଫଳାଫଳ ଓ ଆଗାମୀ ପରୀକ୍ଷା ସମ୍ବନ୍ଧରେ ଉଭୟ ବୋର୍ଡକୁ ପୂର୍ବରୁ ସୂଚନା ଜାରି କରିବାକୁ ପଡ଼ିବ। ଆଉ ସୁପ୍ରିମକୋର୍ଟ ବ୍ୟତୀତ ଅନ୍ୟ କୌଣସି ହାଇକୋର୍ଟରେ ଏସମ୍ବନ୍ଧୀୟ ମାମଲାର ଶୁଣାଣି ହେବନାହିଁ ବୋଲି କୋର୍ଟ ପକ୍ଷରୁ ଘୋଷଣା କରାଯାଇଛି।

ସିବିଏସଇର କହିବା ମୁତାବକ, ଦଶମର ବାକି ରହିଯାଇଥିବା ପରୀକ୍ଷା ସମ୍ପୂର୍ଣ୍ଣ ରୂପେ ରଦ୍ଦ କରାଯିବ। ଦ୍ୱାଦଶ ପରୀକ୍ଷା ରଦ୍ଦ କରାଯାଇଥିଲେ ମଧ୍ୟ ଯେଉଁମାନେ ପରୀକ୍ଷା ଦେବାକୁ ଚାହିଁବେ ସ୍ଥିତି ସାମାନ୍ୟ ହେଲେ ସେମାନଙ୍କୁ ସୁଯୋଗ ଦିଆଯିବ। ଏଥିସହିତ ଯେଉଁ ଛାତ୍ରଛାତ୍ରୀମାନେ ସମ୍ପୂର୍ଣ୍ଣ ପରୀକ୍ଷା ଦେଇଛନ୍ତି ସେମାନଙ୍କର ଫଳାଫଳ ସାମାନ୍ୟ ରୂପରେ ଆସିବ। ଆଉ ଯେଉଁମାନେ ୩ରୁ ଅଧିକ ବିଷୟରେ ପରୀକ୍ଷା ଦେଇଛନ୍ତି ସେମାନଙ୍କୁ ସର୍ବଶ୍ରେଷ୍ଠ ୩ ବିଷୟ ଆଧାରରେ ବାକି ପେପରର ମାର୍କ ଦିଆଯିବ। ଆଉ ଯେଉଁମାନେ ଗୋଟିଏ କି ଦୁଇଟି ବିଷୟରେ ପରୀକ୍ଷା ଦେଇଛନ୍ତି ସେମାନଙ୍କୁ ଇଣ୍ଟରନାଲ ଓ ପ୍ରାକ୍ଟିକାଲ ଆଧାରରେ ନମ୍ବର ଦିଆଯିବ ବୋଲି ସିବିଏସଇ ପକ୍ଷରୁ ସୂଚନା ଦିଆଯାଇଛି।