କରୋନାରେ ଭୁବନେଶ୍ୱରରୁ ଆଜି ୨୨ ଆକ୍ରାନ୍ତ, ୧୫ ସୁସ୍ଥ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଭୁବନେଶ୍ୱରରୁ ଆଜି ୨୨ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୩ଜଣ ହୋମ କ୍ୱାରେଣ୍ଟାଇନ ଓ ୧୯ଜଣ ସ୍ଥାନୀୟ ରହିଛନ୍ତି। ଅନ୍ୟପଟେ ୧୫ ଜଣ ଆକ୍ରାନ୍ତ ଆରୋଗ୍ୟ ଲାଭ କରିଥିବା ନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଚନ୍ଦ୍ରଶେଖରପୁର ମୈତ୍ରୀବିହାର ଅଂଚଳର ଜଣେ ୨୮ ବର୍ଷୀୟ ପୁରୁଷ ରହିଛନ୍ତି ଯାହାଙ୍କ ଟ୍ରାଭେଲ ହିଷ୍ଟ୍ରି କୋଲକାତା ରହିଛି। ଆଉ ଜଣେ ୨୯ ବର୍ଷୀୟ ରେଳ କର୍ମଚାରୀ ରହିଛନ୍ତି ଯିଏକି ଦିଲ୍ଲୀରୁ ଫେରି ହୋମ କ୍ୱାରେଣ୍ଟାଇନରେ ଥିଲେ। ଭିଏଏସ୍ଏସ୍ ନଗରର ଜଣେ ଯୁବକ ରହିଛନ୍ତି ଯିଏକି ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ।

ସେହିପରି ୧୯ଟି ସ୍ଥାନୀୟ ମାମଲା ମଧ୍ୟରୁ ୧୬ ଜଣ ଏକ ଘରୋଇ ହସ୍ପିଟାଲର କର୍ମଚାରୀ ଯେଉଁମାନେ କି ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ। ଆଉ ଏହି ୧୬ ଜଣଙ୍କ ମଧ୍ୟରୁ ୧୩ ଜଣ ମହିଳା ଓ ୩ ଜଣ ପୁରୁଷ କର୍ମଚାରୀ ରହିଛନ୍ତି। ଅନ୍ୟପଟେ ନିଳାଦ୍ରି ବିହାରର ୨ ଜଣ ଓ ଶୈଳଶ୍ରୀ ବିହାରର ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

ଆଜି ସୁସ୍ଥ ହୋଇଥିବା ୧୫ ଜଣଙ୍କ ମଧ୍ୟରୁ ପ୍ରାତ୍ରପଡ଼ାରୁ ଜଣେ, ଏଚବି କଲୋନୀରୁ ଜଣେ, ପଟିଆରୁ ୩ ଜଣ, ଶାସ୍ତ୍ରୀନଗରରୁ ଜଣେ, ଜୟଦେବ ବିହାରରୁ ୨ ଜଣ, ଚରଣପଲ୍ଲୀ ବସ୍ତି, ସତ୍ୟନଗର ଓ ଆଇଜି କଲୋନୀରୁ ଜଣେ ଲେଖାଏଁ ରହିଛନ୍ତି। ସେହିପରି ରସୁଲଗଡ଼ ଓ ଡୁମଡୁମା ଏଚବି କଲୋନୀରୁ ଜଣେ ଲେଖାଏଁ ଓ ସରକାରୀ ହସ୍ପିଟାଲର ୨ ଜଣ କର୍ମଚାରୀ ଆରୋଗ୍ୟ ଲାଭ କରିଛନ୍ତି।
ସୂଚନାଯୋଗ୍ୟ, ଭୁବନେଶ୍ୱରରେ ଏଯାବତ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୨୦ ହୋଇଥିବାବେଳେ ୧୧୩ ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟପଟେ ୩ ଜଣଙ୍କର ମୃତ୍ୟୁ ଘଟିଛି ଓ ୧୦୩ ଜଣ ଚିକିତ୍ସାଧୀନ ଅଛନ୍ତି।