ଫୁଲବାଣୀ,ଏନ୍ଏନ୍ଏନ୍: କନ୍ଧମାଳ ଜିଲ୍ଲା ପାଇଁ ଗୌରବ ଆଣିଦେଇଛନ୍ତି ସୁଶ୍ରୀ ସାଇ ପ୍ରଣିତା ମହାନ୍ତି। କନ୍ଧମାଳ ଜିଲ୍ଲାର ପ୍ରଥମ ମହିଳା ଭାବେ ସେ ବାୟୁ ସେନାର ଫ୍ଲାଇଂ ଅଫିସର ହେବାର ସୌଭାଗ୍ୟ ଲାଭ କରି ଜିଲ୍ଲାକୁ ଗୌରବାନ୍ୱିତ କରିଛନ୍ତି। ବାୟୁସେନାର ହାଇଦ୍ରାବାଦସ୍ଥିତ ଏୟାରଫୋର୍ସ ଏକାଡେମୀରୁ ୱେଦର ଫରକାଷ୍ଟିଂରେ ତାଲିମ ପ୍ରାପ୍ତ କରି ଆଜି ଫ୍ଲାଂଇଂ ଅଫିସର ଭାବେ ଗ୍ୱାଲିୟର ବାୟୁସେନା କେନ୍ଦ୍ରରେ ଆଜି ସେ ପୋଷ୍ଟିଂ ପାଇଛନ୍ତି।

ଫୁଲବାଣୀ ସହର କେନ୍ଦୁପଦରସ୍ଥିତ ଶଙ୍କର ନାରାୟଣ ମହାନ୍ତି ଓ ମିନତୀ ମହାନ୍ତିଙ୍କ କନିଷ୍ଠ କନ୍ୟା ସାଇ ପ୍ରଣିତା ୧୯୯୩ ମସିହା ଡିସେମ୍ବର ୨୬ରେ ଫୁଲବାଣୀରେ ଜନ୍ମ ଗ୍ରହଣ କରିଥିଲେ । ବାପା ଜଣେ ସାଇ ସେବକ ଭାବେ କାର୍ଯ୍ୟ କରନ୍ତି। ତାଙ୍କ ଜେଜେ ବାପା ପ୍ରକାଶ ଚନ୍ଦ୍ର ମହାନ୍ତି ସେନାବିହିନୀରେ ନାୟକ ଭାବେ କାର୍ଯ୍ୟ କରି ଅବସର ଗ୍ରହଣ କରିଥିବା ବେଳେ ଦାଦା ପରିକ୍ଷୀତ ମହାନ୍ତି ବର୍ତ୍ତମାନ ସେନାରେ ମେଜର ଭାବେ କାର୍ଯ୍ୟରତ ଅଛନ୍ତି। ସୁଶ୍ରୀ ପ୍ରଣିତା ପ୍ରାଥମିକ ଶିକ୍ଷା ଫୁଲବାଣୀ ସରସ୍ୱତୀ ଶିଶୁ ମନ୍ଦିରରେ ଗ୍ରହଣ କରିବା ପରେ ବାଳିକା ହାଇସ୍କୁଲରେ ଅଧ୍ୟୟନ କରି ପ୍ରଥମ ଶ୍ରେଣୀରେ ମାଟ୍ରିକ୍ ପାସ କରିଥିଲେ। ସେ ଜଣ ଭଲ ଛାତ୍ରୀ ଭାବେ ମଧ୍ୟ ବେଶ୍ ପରିଚିତ ଥିବା ବେଳେ ସମସ୍ତ ପ୍ରତିଯୋଗିତାରେ ମଧ୍ୟ ତାଙ୍କର ବେଶ୍ ପାରଙ୍ଗମତା ଥିଲା। ପରେ ସେ ଫୁଲବାଣୀ ସ୍ୱୟଂଶାସିତ ସରକାରୀ ମହାବିଦ୍ୟାଳୟରୁ ବିଜ୍ଞାନରେ ଯୁକ୍ତ ୨ରେ ପ୍ରଥମ ଶ୍ରେଣୀରେ ପାସ କରିଥିଲେ। ପରେ ସେ ଆନ୍ଧ୍ରପ୍ରେଦେଶର ପ୍ରଶାନ୍ତିସ୍ଥିତ ଶ୍ରୀ ସତ୍ୟସାଇ ମହିଳା ମହାବିଦ୍ୟାଳୟରୁ ସ୍ନାତକ ଓ ପଣ୍ଡିଚେରୀ ସ୍ଥିତ ସେଣ୍ଟ୍ରାଲ ୟୁନିଭରସିଟିରେ ପଦାର୍ଥ ବିଜ୍ଞାନରେ ସ୍ନାତକୋତର ପାସ୍ କରିଥିଲେ। ଏହା ପରେ ସେ ଚେନ୍ନାଇ ଥିବା ଇନ୍ଦିରାଗାନ୍ଧୀ ଅଟୋମେଟିକ୍ ରିସର୍ଚ ସେଣ୍ଟରରେ ପିଏଚଡିରେ ନାମ ଲେଖାଇଥିଲେ। ପରିବାରର ଆର୍ଥିକ ପରିସ୍ଥିତି ପାଇଁ ସେ ପିଏଚଡି ପାଠ ପଢା ଅଧାରୁ ଛାଡିଥିଲେ ମଧ୍ୟ ପ୍ରଣିତା ଆଗକୁ ପାଢ ପଢିବାରେ ଆଗ୍ରହ ଓ ଇଛା ଶକ୍ତି ଯୋଗୁଁ ଏଥିରେ ତାଙ୍କ ବଡ଼ଭଉଣୀ ସାଇ ପ୍ରଶାନ୍ତି ମହାନ୍ତି ଓ ଜ୍ୱାଇଁ ସୁକାନ୍ତ କୁମାର ବିଡ଼ିକା ମଧ୍ୟ ସହଯୋଗ କରିଥିଲେ। ପରେ ସେ ଏକ ବେସରକାରୀ ପବ୍ଲିସିଂ କମ୍ପାନୀରେ ତାଙ୍କର ଚାକିରି ଜୀବନ ଆରମ୍ଭ କରିଥିଲେ।
