୨୨ ବର୍ଷ ପରେ ପୁଅକୁ ପାଇଲା ମାଆ

ଖୋର୍ଦ୍ଧା,ଏନ୍ଏନ୍ଏସ୍: କରୋନା କାହା ପାଇଁ କାଳ ହୋଇଥିଲାବେଳେ ଆଉ କାହା ପାଇଁ ଖୁସିର ଖବର ଆଣିଛି।  ଆଜି ସେହି କରୋନା ପାଇଁ  ମାଆ କୋଳକୁ ତା’ର ନିଖୋଜ ପୁଅ ଫେରି ଆସିଛ । ତାହା ପୁଣି ଦିନ କି ଦୁଇଦିନ ନୁହେଁ, ଦୀର୍ଘ ୨୨ ବର୍ଷ ପୁଅ ଫେରିଛି ମାଆ କୋଳକୁ। ଚିଲିକା ବ୍ଲକ୍ ବଡ଼କୁଳଠାରେ ଏଭଳି ଘଟଣା ଘଟିଛି। ଯୋଉଥିପାଇଁ ବଡ଼କୁଳ ମହାନ୍ତି ସାହିରେ ଖୁସିର ଲହରୀ ଖେଳି ଯାଇଛି।
ପୂର୍ଣ୍ଣଚନ୍ଦ୍ର ଭୁଜବଳ ଦୀର୍ଘ ୨୨ ବର୍ଷ ଧରି ଘର ଛାଡ଼ି କେଉଁଆଡ଼େ ପଳାଇଥିଲେ। ପରିବାର ପକ୍ଷରୁ ବହୁ ଖୋଜାଖୋଜି କରି ନିରାଶ ହୋଇଥିଲେ। କିନ୍ତୁ ଦୀର୍ଘଦିନ ଧରି ନିଖୋଜ ପୁଅ ଗାଁକୁ ଆସି ଗତ କିଛିଦିନ ତଳେ କ୍ୱାରେଣ୍ଟାଇନ୍ ସେଣ୍ଟରରେ ରହିଥିଲେ। ଏ ବିଷୟ ଜାଣି ତାଙ୍କ ପରିବାରଠୁ ନେଇ ସାଙ୍ଗସାଥି ତାଙ୍କୁ ଦେଖା କରିବାକୁ ଅପେକ୍ଷା କରିଥିଲେ। କିନ୍ତୁ ସବୁଠାରୁ ବେଶୀ ବ୍ୟାକୁଳ ଥିଲେ ତାଙ୍କ ମା’। ଆଜି ଯେତେବେବେଳେ ସେ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ବାହାରିଲେ ,ତାଙ୍କ ସାଙ୍ଗସାଥି ସମସ୍ତେ ତାଙ୍କୁ ପାଛୋଟି ଆଣିଥିଲେ ତାଙ୍କ ଘରକୁ।