କାଶ୍ମୀର,ଏଜେନ୍ସି: ଜାମ୍ମୁ-କାଶ୍ମୀରର ସୋପିଆନ ଅଞ୍ଚଳରେ ଆଜି ପୁଣି ସୁରକ୍ଷାକର୍ମୀ ଓ ଆତଙ୍କୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ତେବେ ସୋପିଆନରେ ରାଷ୍ଟ୍ରୀୟ ରାଇଫଲସ୍ ସେନା କ୍ୟାମ୍ପଠାରୁ ମାତ୍ର ୪୦୦ରୁ ୫୦୦ ମିଟର ଦୂରତାରେ ଏନକାଉଣ୍ଟର ଘଟି ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଆତଙ୍କୀ ନିହତ ହୋଇଛନ୍ତି। ମୃତ ୩ ଆତଙ୍କବାଦୀ ହିଜବୁଲ ଗୋଷ୍ଠୀର ହୋଇଥିବା ବେଳେ ସେମାନଙ୍କ ନିକଟରୁ ଦୁଇଟି ଏକେ-୪୭ ବନ୍ଧୁକ ଏବଂ ଏକ ଇନସାସ୍ ରାଇଫଲ ଜବତ ହୋଇଛି।
ଆଜି ସକାଳେ ସୋପିଆନ୍ ଅଞ୍ଚଳର ତୁର୍କୁୱାଗନ ଗାଁ ନିକଟରେ ସେନା ଆରମ୍ଭ କରିଛି ବଡ ଧରଣର ସର୍ଚ୍ଚ ଅପରେସନ୍। ଗତ ୧୦ ଦିନମଧ୍ୟରେ ଜାମ୍ମୁ-କାଶ୍ମୀରରେ ଏହା ୪ର୍ଥ ଏନକାଉଣ୍ଟର। ଦକ୍ଷିଣ ସୋପିଆନ ଜିଲ୍ଲାରେ ନିକଟରେ ହୋଇଥିବା ଏନକାଉଣ୍ଟରରେ ୧୯ ଆତଙ୍କବାଦୀ ନିପାତ ହୋଇଥିଲେ। ସୋପିଆନରେ ଥିବା ରାଷ୍ଟ୍ରୀୟ ରାଇଫଲସ ସେନା କ୍ୟାମ୍ପ ନିକଟରେ ଆତଙ୍କବାଦୀଙ୍କ ଗତିବିଧି ସୂଚନା ମିଳିବା ପରେ ପରେ ପୁରା ଅଞ୍ଚଳକୁ ସିଲ୍ କରି ସର୍ଚ୍ଚ ଅପରେସନ ଜାରି ରହିଛି।