ବରଗଡ,ଏନ୍ଏନ୍ଏସ୍: ଆଜି ବରଗଡ଼ରୁ ସର୍ବାଧିକ ୧୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲ୍ଳାରେ ୩୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୧ ଜଣ ସୁସ୍ଥ ହୋଇଥିବା ସୂଚନା ମିଳିଛି। ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ବରଗଡ଼ ସଦର ବ୍ଲକ କୁରୁଆଁ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୪ ଜଣ, ଅଡଗାଁ ଟିଏମସିରେ ୨ ଜଣ, ଭେଡେନ ବ୍ଲକ୍ ରୁଷୁଡା ଟିଏମସିରେ ୬ ଜଣ, ଭେଡେନ ଆଇଆଇଟି ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ଜଣେ ଏବଂ ପଦ୍ମପୁର ବ୍ଲକ୍ ଦର୍ଲିଗୁଡା ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି।
ସେହିପରି ଝାରବନ୍ଧ ବ୍ଲକର ସରଗୁଲ ଗ୍ରାମରେ ଜଣେ ସ୍ଥାନୀୟ ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଉକ୍ତ ଆକ୍ରାନ୍ତଙ୍କ କଣ୍ଟ୍ରାକ୍ଟ ଟ୍ରେସିଂ ଜାରି ରହିଥିବା ଜିଲ୍ଳା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି। ଆଜି ପଜିଟିଭ ଚିହ୍ନଟଙ୍କ ମଧ୍ୟରେ ପଦ୍ମପୁର ଦର୍ଲିଗୁଡାର ଜଣେ ମହିଲା ହୋଇଥିବା ବେଳେ ଅନ୍ୟ ସମସ୍ତେ ୧୭ ରୁ ୫୦ ବର୍ଷ ବୟସର ପୁରୁଷ।
ସମ୍ପୃକ୍ତ ଅଞ୍ଚଳଗୁଡିକୁ ଅବରୋଧ ଅଞ୍ଚଳ ଭାବରେ ଘୋଷଣା କରାଯିବା ସହିତ ଆଖପାଖ ଅଞ୍ଚଳକୁ ବଫର ଜୋନ ଭାବରେ ଘୋଷଣା କରାଯାଇଛି। ସମସ୍ତ ଆକ୍ରାନ୍ତଙ୍କୁ କୋଭିଡ କେୟାର ସେଣ୍ଟରକୁ ଚିକିତ୍ସା ପାଇଁ ସ୍ଥାନାନ୍ତରିତ କରାଯାଇଛି।