ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ବଢ଼ୁଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ଉପରାଜ୍ୟପାଳ ଅନିଲ ବେଜଲଙ୍କ ସହ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। ବୈଠକ ପରେ ଅମିତ ଶାହ କହିଛନ୍ତି କି, ଦିଲ୍ଲୀରେ କରୋନା ରୋଗୀଙ୍କ ପାଇଁ ବେଡର ଅଭାବକୁ ଦେଖି ୫୦୦ ରେଲୱେ କୋଚ ପ୍ରଦାନ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଆଉ ଏହି କୋଚକୁ ଆଇସୋଲେସନ ୱାର୍ଡରେ ପରିଣତ କରାଯିବ ବୋଲି ସେ କହିଛନ୍ତି।
ଗୃହମନ୍ତ୍ରୀ ଶାହ ଆହୁରି କହିଛନ୍ତି କି, ଭାରତ ସରକାର ଦିଲ୍ଲୀ ସରକାରଙ୍କୁ ଏହି ମହାମାରୀ ସହ ଲଢ଼ିବା ପାଇଁ ଭେଣ୍ଟିଲେଟର, ଅକ୍ସିଜେନ ସିଲିଣ୍ଡର, ପଲ୍ସ ଅକ୍ସୀମିଟର ପ୍ରଦାନ କରିବା ସହ ସମସ୍ତ ଆବଶ୍ୟକତା ପୂରଣ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ। ଆଉ ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ, ଦିଲ୍ଲୀ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ, ଏମ୍ସ ଓ ଦିଲ୍ଲୀର ୩ଟି ମୁନିସିପାଲ କର୍ପୋରେସନର ଡାକ୍ତରଙ୍କ ଏକ ମିଳିତ ଟିମ୍ ଦିଲ୍ଲୀର ସମସ୍ତ କୋଭିଡ ହସ୍ପିଟାଲକୁ ନିରୀକ୍ଷଣ କରି ଏକ ରିପୋର୍ଟ ପ୍ରସ୍ତୁତ କରିବେ। ଏଥିସହିତ ଦିଲ୍ଲୀ ସରକାରଙ୍କୁ ୫ ଜଣ ବରିଷ୍ଠ ଅଧିକାରୀ ଦେବାର ନିଷ୍ପତ୍ତି ମଧ୍ୟ କେନ୍ଦ୍ର ସରକାର ନେଇଛନ୍ତି।
ଦିଲ୍ଲୀର କଣ୍ଟେନମେଣ୍ଟ ଜୋନରେ କଣ୍ଟାକ୍ଟ ମେପିଂ ଭଲଭାବେ କରିବା ପାଇଁ ଘର ଘର ବୁଲି ପ୍ରତ୍ୟେକ ବ୍ୟକ୍ତିଙ୍କର ବ୍ୟାପକ ସ୍ୱାସ୍ଥ୍ୟ ସର୍ଭେ କରାଯିବ ଯାହାର ରିପୋର୍ଟ ଗୋଟିଏ ସପ୍ତାହ ମଧ୍ୟରେ ଆସିଯିିବ। ଆଉ ଆଗାମୀ ୬ ଦିନ ମଧ୍ୟରେ ଟେଷ୍ଟିଂ କ୍ଷମତା ୩ଗୁଣା ବଢ଼ାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି।