ଦେବଗଡ,ଏନ୍ଏନ୍ଏସ୍ : ସମଗ୍ର ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା କରୋନା ସଂକ୍ରମଣ ରୋକିବା ନେଇ ସାମାଜିକ ଦୂରତା ଉଦ୍ଦେଶ୍ୟରେ ଦେଶକୁ ଲକଡାଉନ କରାଯାଇଥିବା ବେଳେ ଉଭୟ ସରକାର ଓ ବିଭିନ୍ନ ସଂଗଠନ ପକ୍ଷରୁ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି । ମାତ୍ର ଲକଡାଉନ – ୫ରେ ନିୟମ କୋହଳ କରାଯାଇଥିବାରୁ ଅନେକ ସ୍ଥାନରେ ଜନ ସାଧାରଣ ସାମାଜିକ ଦୂରତାକୁ ପାଳନ କରୁ ନ ଥିବାରୁ ରାଜ୍ୟର ଅନେକ ସ୍ଥାନରେ କରୋନା ସଂକ୍ରମଣ ସଂଖ୍ୟା କମିବାର ନାଁ’ ନେଉ ନାହିଁ ।

ଲକଡାଉନ ନିୟମ ପାଳନ ନକରି ପ୍ରତ୍ୟେକ ଦିନ ଏକାଧିକ ଜନସାଧାରଣ ଆଇନଗତ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେଉଥିଲେ ହେଁ ସୁଧିରିବାର ନାଁ’ ନେଉ ନ ଥିବା ଦେଖିବାକୁ ମିଳୁଛି । କେତେ ବେଳେ ସାପ୍ତାହିକ ବଜାରରେ ଜନଗହଳି ତ କେତେବେଳେ ଗାଁ’ ମଣ୍ଡପ ଗୁଡିକରେ ଜନସାଧାରଣ ଗୋଟିଏ ସ୍ଥାନରେ ବସି ରହି ସାମାଜିକ ଦୂରତ୍ୱକୁ ଅଣଦେଖା କରୁଥିବା ଦେଖାଯାଉଛି ।
ଏହି କ୍ରମରେ ଆଜି ଦେବଗଡ ସହରରେ ଥିବା ବିଭିନ୍ନ ବ୍ୟବସାୟୀକ ପ୍ରତିଷ୍ଠାନ ସହ ଚା, ଜଳଖିଆ, ଗୁପଚୁପ ଓ ଉଠା ଦୋକାନ ଗୁଡିକରେ ସାମାଜିକ ଦୂରତାକୁ ଅଣଦେଖା କରାଯିବା ସହ ଲକଡାଉନ – ୫ରେ କୋହଳ କରାଯାଇଥିବା ନିୟମ ଉଲ୍ଲଘନ କରୁଥିବା ବ୍ୟବସାୟୀ ମାନଙ୍କ ବିରୁଦ୍ଧରେ ଜିଲ୍ଲା ପ୍ରଶାସନ ଆକ୍ସନ ମୁଡକୁ ଓହ୍ଲାଇଥିବା ଦେଖିବାକୁ ମିଳିଥିଲା।
ଖୋଦ ଜିଲ୍ଲାପାଳ ସୁଧାଂଶୁ ମୋହନ ସାମଲ, ଉପ ଜିଲ୍ଲାପାଳ ବ୍ରଜବନ୍ଧୁ ଭୋଇ ଓ ଦେବଗଡ ଥାନା ଅଧିକାରୀ ପ୍ରଶାନ୍ତ କୁମାର ପାତ୍ର ପୁଲିସ ଫୋର୍ସ ସହ ମୁଖ୍ୟ ବଜାର ସମେତ ବିଭିନ୍ନ ଜନଗହଳି ଅଂଚଳରେ ବୁଲି ଖୋଲାରେ ଖାଦ୍ୟ ବିକ୍ରୀ କରୁଥିବା ଉଠାଦୋକାନୀ,ଗୁପଚୁପ ଠେଲା ଗୁଡିକୁ ଦୋକାନ ବନ୍ଦ କରିବାକୁ ନିର୍ଦ୍ଧେଶ ଦେଇଥିଲେ।
