୩୪ ଖଣ୍ଡ ଚୋରା ଶାଳ ଚୌକାଠ ବୋଝେଇ ବୋଲେରୋ ଜବତ, ୨ ଗିରଫ

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ପାଟଣା ବନବିଭାଗ ଆଜି ଭୋରରେ ବୈତରଣୀ ପୋଲ ନିକଟରେ ଶାଳ ଚୌକାଠ ବୋଝେଇ ବୋଲେରୋ ଗାଡି ଜବତ କରିବା ସହିତ ୨ଜଣଙ୍କୁ ଗିରଫ କରିଛି। ଉକ୍ତ ଗାଡିରୁ ୩୪ଟି ଶାଳ ଚୌକାଠ ଜବତ ହୋଇଛି। ଜବତ ଚୌକାଠର ଆନୁମାନିକ ମୂଲ୍ୟ ୩୦ହଜାର ଟଙ୍କା ହେବ ବୋଲି ବନଖଣ୍ଡ ଅଧିକାରୀ ପବିତ୍ର ମୋହନ ନାଏକ ସୂଚନା ଦେଇଛନ୍ତି।

ତେବେ ଲକଡାଉନ ସମୟରେ ପାଟଣା ରେଞ୍ଜ ଅଧିନରେ କାଠ ମାଫିଆ ସକ୍ରିୟ ଥିବା ବେଳେ କୌଣସି ସୂତ୍ରରୁ ବନବିଭାଗ ଖବରପାଇ ବୈତରଣୀ ପୋଲ ନିକଟରେ ଛକି ରହିଥିଲେ। ସାହାରପଡା ପଟୁ ଢେଙ୍କିକୋଟ ଆଡ଼କୁ ଏହି ଗାଡି ଯାଉଥିବା ବେଳେ ବୈତରଣୀ ନଦୀ ନିକଟରେ ଉକ୍ତ ଗାଡିକୁ ବନବିଭାଗ ଜବତ କରିଛି।

ଗିରଫ ଭୟରେ ଦୁଇ ମାଫିଆ ନଦୀକୁ ଡେଇଁ ପଡିଥିବା ବେଳେ ବନବିଭାଗ ଏହାକୁ କାବୁ କରିଛି। ଗିରଫ ୨ଜଣ ହେଲେ ମୟୁରଭଞ୍ଜ କରଞ୍ଜିଆ ଥାନା କୁଡୁମା ଗ୍ରାମର ଆଦିତ୍ୟ ଚରଣ ନାଏକ ଓ କରଡ଼ିଆ ଗ୍ରାମର ବିଦ୍ୟାପତି ବାରିକ।