ସ୍ୱତନ୍ତ୍ର ଶ୍ରମିକ ଟ୍ରେନରେ ଓଡ଼ିଶା ଫେରିଲେ ୪୩୬୦ ଶ୍ରମିକ: କେବଳ ବଲାଙ୍ଗିରରୁ ୨୮୯୧

ବଲାଙ୍ଗିର,ଏନ୍ଏନ୍ଏସ୍: ପ୍ରତିଦିନ ବଲାଙ୍ଗିର ରେଳ ଷ୍ଟେସନରେ ସମଗ୍ର ଓଡ଼ିଶାର ହଜାର ହଜାର ପ୍ରବାସୀ ଶ୍ରମିକ ଓହ୍ଲାଉଛନ୍ତି । ଏହି କ୍ରମରେ ଆଜି ଦୁଇଟି ସ୍ୱତନ୍ତ୍ର ଶ୍ରମିକ ଟ୍ରେନରେ ସମଗ୍ର ଓଡ଼ିଶାର ୪୩୬୦ ଶ୍ରମିକ ବଲାଙ୍ଗିର ଷ୍ଟେସନ ପହଂଚିଛନ୍ତି। ତେଲେଙ୍ଗାନା ଲିଙ୍ଗମପଲ୍ଲୀରୁ ଆସିଥିବା ପ୍ରଥମ ଟ୍ରେନରେ ୩୦ ଜିଲ୍ଲାର ୨୨୩୧ ଶ୍ରମିକ ଥିବାବେଳେ ସେଥିରୁ କେବଳ ବଲାଙ୍ଗୀରର ୧୬୧୫ଜଣ ଶ୍ରମିକ ରହିଥିଲେ । ସେହିପରି ଦ୍ୱିତୀୟ ଟ୍ରେନ ମଧ୍ୟ ଲିଙ୍ଗମପଲ୍ଲୀରୁ ଆସିଥିଲା। ଏଥିରେ ୩୦ ଜିଲ୍ଲାର ୨୧୨୯ ଶ୍ରମିକ ରହିଥିବା ବେଳେ କେବଳ ବଲାଙ୍ଗୀରରୁ ୧୨୭୬ଜଣ ଶ୍ରମିକ ରହିଥିଲେ। ଶ୍ରମିକଙ୍କୁ ସ୍ୱାଗତ କରିବା ପାଇଁ ଜିଲ୍ଲା ପ୍ରଶାସନର ବିଭିନ୍ନ ପଦାଧିକାରୀ ଉପସ୍ଥିତ ଥିଲେ। ପରେ ଶ୍ରମିକଙ୍କୁ ସ୍ୱତନ୍ତ୍ର ବସ ଯୋଗେ ସେମାନଙ୍କ ଅଂଚଳକୁ ପଠାଇ ଦିଆଯାଇଥିଲା।