ଲକଡାଉନ ଅବଧି ମେ’ ୨୯କୁ ବୃଦ୍ଧି କରିବାରେ ପ୍ରଥମ ରାଜ୍ୟ ତେଲେଙ୍ଗାନା

ନୂଆଦିଲ୍ଲୀ,ଏଜେନ୍ସି: କରୋନା ମୁକାବିଲା ନେଇ ସରକାର ବିଭିନ୍ନ ପଦକ୍ଷେପ ଅବଲମ୍ବନ କରିଛନ୍ତି। ଏଥିମଧ୍ୟରେ ଲକଡାଉନ ନିୟମଟି ଅତ୍ୟନ୍ତ ଗ୍ରହଣୀୟ। ଏହା ଏକ ସଂକ୍ରମିତ ରୋଗ ହୋଇଥିବାରୁ ଏ ନେଇ ଲକଡାଉନ ଅବଧିକୁ ୩ଟି ପର୍ଯ୍ୟାୟରେ ବୃଦ୍ଧି କରାଯାଇ ସାରିଛି। ଏହି ପରିପ୍ରେକ୍ଷୀରେ ତେଲେଙ୍ଗାନା ସରକାର ପୁଣି ଏହି ୩.୦ ଲକଡାଉନ ଅବଧିକୁ ୨୯ ତାରିଖକୁ ବୃଦ୍ଧି କରିଛନ୍ତି। ଲଗାତର ରାଜ୍ୟର ସ୍ଥିତି ନେଇ ବିଚାର ବିମର୍ଶ କରିବା ପରେ ସରକାର ଏପରି ନିଷ୍ପତ୍ତି ନେଇଥିବା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କହିଛନ୍ତି।

ତେଲେଙ୍ଗାନାରେ ଲକଡାଉନ କଟକଣା ପାଇଁ ଲୋକମାନେ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ସାମଗ୍ରୀ କ୍ରୟ କରି ପାରିବେ। ସନ୍ଧ୍ୟା ପରେ ଘରୁ ବାହାରିବା ମନା। ସନ୍ଧ୍ୟା ୭ ଟାରୁ ରାଜ୍ୟରେ କର୍ଫ୍ୟୁ ଜାରି ହେବ ବୋଲି ଏକ ନିର୍ଦ୍ଦେଶନାମା ମଧ୍ୟ ଜାରି କରାଯାଇଛି। ଏହି ସମୟରେ ଯଦି କେହି ବାହାରକୁ ବାହାରିବେ ତେବେ ପୁଲିସ କାର୍ଯ୍ୟାନୁଷ୍ଠାନ ନେବ ବୋଲି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ କହିଛନ୍ତି।

ତେବେ ତେଲେଙ୍ଗାନାରେ ଏପର୍ଯ୍ୟନ୍ତ ମୋଟ ୧୦୯୬ଟି କରୋନା ସଂକ୍ରମଣ ମମାଲ ଦେଖାଦେଇଛି। ଏଥିମଧ୍ୟରୁ ୬୨୮ ରୋଗୀ ଚିକିତ୍ସା ପରେ ସୁସ୍ଥ ହୋଇଛନ୍ତି। ମଙ୍ଗଳବାର ଦିନ ରାଜ୍ୟରେ ୧୧ଟି ନୂଆ ମାମଲା ଚିହ୍ନଟ ହୋଇଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୪୩୯ଟି କୋରୋନା ସଂକ୍ରମଣ ରୋଗୀ ସକ୍ରିୟ ରହିଛନ୍ତି। ରାଜ୍ୟରେ ୬ ଜିଲ୍ଲା ରେଡ଼ ଜୋନରେ ରହିଛି, ୧୮ଟି ଜିଲ୍ଲା ଅରେଞ୍ଜ ଜୋନରେ ଥିବା ବେଳେ ମାତ୍ର ୬ଟି ଜିଲ୍ଲା ଗ୍ରୀନ ଜୋନରେ ଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ତଥ୍ୟରୁ ଜଣାପଡ଼ିଛି।