ଦେବଗଡ଼,ଏନ୍ଏନ୍ଏସ୍: ସଂପ୍ରତି ସାରା ଦେଶରେ କରୋନା ସଂକ୍ରମଣକୁ ନେଇ ଜନସାଧାରଣ ଆତଙ୍କିତ ଥିବାବେଳେ ଦେବଗଡ଼ ଜିଲ୍ଲାରେ ଗତକାଲି ପ୍ରଥମ କରୋନା ସଂକ୍ରମଣ ବ୍ୟକ୍ତି ଚିହ୍ନଟ ହେବା ପରେ ୭ ଗ୍ରାମକୁ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି। ଏହା ଜଣାପଡ଼ିବା ପରେ ଦେବଗଡ଼ ଜିଲ୍ଲାରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି। କିନ୍ତୁ ଏଥିରେ ଖଟିଖିଆଙ୍କ ପେଟ ଉପରେ ମାଡ଼ ପଡ଼ିଛି। ଖଟିଖିଆ ତଥା ଦିନମଜୁରିଆ ମାନେ ବର୍ତ୍ତମାନ ସରକାର ଅନ୍ନକୁ ଚାହିଁ ରହିଛନ୍ତି। କରୋନା ସଂକ୍ରମଣ ଚିହ୍ନଟ ବ୍ୟକ୍ତି ଜଣଙ୍କ ତିଲେଇବଣୀ ବ୍ଲକ୍ କଲଣ୍ଡା ପଞ୍ଚାୟତ ଅନ୍ତର୍ଗତ ବାସୁଦେବପୁର ଗ୍ରାମର ବୋଲି ଜଣାପଡିବା ପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଉକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି।
ଏହି ପରିପ୍ରେକ୍ଷୀରେ ତିଲେଇବଣୀ ବ୍ଲକ୍ କଲଣ୍ଡା ପଞ୍ଚାୟତର ବାସୁଦେବପୁର ଗ୍ରାମ ସମେତ ଝାଟିକିପଶି, ଖୁଣ୍ଟାପଶି, ସାମନ୍ତରାପାଲି, ନୂଆଗାଁ, କମଳାବଗିଚା ଓ ବଣିଆକିଲିଣ୍ଡା ପଞ୍ଚାୟତର ସୁନାମୁଣ୍ଡା ଗ୍ରାମକୁ କଣ୍ଟେନମେଣ୍ଟ ଅଞ୍ଚଳ ଭାବେ ଘୋଷଣା କରି ଉପରୋକ୍ତ ଗ୍ରାମ ଗୁଡିକକୁ ଯିବା ଆସିବା ସମ୍ପୂର୍ଣ୍ଣ ରୋକ ଲଗାଯାଇଛି। ଏହି ଗ୍ରାମ ମାନଙ୍କରେ ବିଭିନ୍ନ ବର୍ଗର ବ୍ୟକ୍ତିମାନେ ରହୁଛନ୍ତି। ତେବେ ଉପରୋକ୍ତ ଗ୍ରାମମାନଙ୍କରେ ବିଶେଷ ଭାବେ ଗରିବ ଚାଷୀ, ଖଟିଖିଆ ମାନେ ନିଜ ପରିବାର ମୁହଁରେ ଖାଦ୍ୟ ଯୋଗାଇବାରେ ଅସମର୍ଥ ହୋଇପଡିଥିବା ବେଳେ ପଞ୍ଚାୟତ ପକ୍ଷରୁ ଦିଆଯାଉଥିବା ସରକାରୀ ଅନ୍ନ ହିଁ ସେମାନଙ୍କ ପାଇଁ ଆଶା ଓ ଭରସା ପାଲଟିଛି। ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ କଲଣ୍ଡା ଓ ବଣିଆକିଲିଣ୍ଡା ପଞ୍ଚାୟତର କଣ୍ଟେନମେଣ୍ଟ ଅଞ୍ଚଳ ଘୋଷିତ ଗ୍ରାମଗୁଡ଼ିକର ୪୦ଟି ଗରିବ ପରିବାରଙ୍କୁ ପଞ୍ଚାୟତ ଜରିଆରେ ଘରକୁ ଘର ଯାଇ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଥିବା ତିଲେଇବଣୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ କୃଷ୍ଣ ଚନ୍ଦ୍ର ଦଳପତ ସୂଚନା ଦେଇଛନ୍ତି।
