ସଚେତନ ହେଉଛନ୍ତି ଲୋକେ, ରାସ୍ତାରୁ ଭିଡ଼ କମୁଛି

ଭୁବନେଶ୍ୱର,ଏନ୍ଏନ୍ଏସ୍ : ରାଜ୍ୟରେ ଲକଡାଉନକୁ ୭ଦିନ ବିତିଲା। ଏହି ୭ଦିନର ସଚେତନତା ପରେ ଲୋକେ ଲକଡାଉନ ସମ୍ପର୍କରେ ବୁଝିପାରିଛନ୍ତି। ସେହିପରି କିଛି ଅମାନିଆ ଗାଡ଼ି ଚାଳକଙ୍କ ବିରୋଧରେ ପୁଲିସ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରୁ ସେମାନେ ମଧ୍ୟ ବାହାରକୁ ଆସିବାକୁ ଭୟ କରୁଛନ୍ତି। ଫଳରେ ରାଜଧାନୀର ରାସ୍ତାଘାଟ ଏବେ ଶୂନସାନ ହୋଇପଡିଛି। କେବଳ ଯେଉଁମାନେ ଜରୁରୀକାଳିନ ସେବାରେ ନିୟୋଜିତ ଅଛନ୍ତି, ସେହିମାନେ ହିଁ ଯାତାୟତ କରୁଛନ୍ତି। ତେବେ ରାସ୍ତାଘାନ ଶୂନସାନ ପରେ ଲୋକେ ଲକଡାଉନକୁ ବୁଝି ପାରିଥିବା ଏକ ପ୍ରକାର ସ୍ପଷ୍ଟ ହୋଇଛି।

ମହାମାରୀ କରୋନା ଭାଇରସକୁ ରୋକିବା ଲାଗି ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ବାରମ୍ବାର ନିବେଦନ କରୁଥିଲେ, ହେଲେ ଲୋକେ ଲକଡାଉନ ସମ୍ପର୍କରେ ବୁଝି ପାରିନଥିଲେ। ଲକଡାଉନ ବେଳେ କେତେକ ଅମାନିଆ ଜନତା ଗାଡିମୋଟର ସହ ସହର ଭିତରକୁ ଧସେଇ ପସିଥିଲେ। ପୁଲିସ ସେମାନଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଲୋକେ ମାନିବାକୁ ପ୍ରସ୍ତୁତ ହୋଇନଥିଲେ। ପରିସ୍ଥିତିକୁ ଦୃଷ୍ଟିରେ ରଖି ପୁଲିସ ସହରକୁ ସିଲ କରିଥିଲା। ରସୁଲଗଡ ଛକରୁ କଟକରୋଡ ଦେଇ ଯାଉଥିବା ଗାଡି ମୋଟରକୁ ଯାଞ୍ଚ କରି ଛାଡୁଥିଲା। ଲୋକଙ୍କୁ ଅଯଥାରେ ସହର ଭିତରକୁ ନଯିବାକୁ ବାରଣ ମଧ୍ୟ କରୁଥିଲା।

ଏଜି ସମେତ ବିଭିନ୍ନ ଛକରେ ପୁଲିସ ଟିମ ଗାଡି ମୋଟର ଯାଞ୍ଚ କରିବା ସହ ଲୋକଙ୍କୁ ବିନାକାରଣରେ ଘରୁ ନବାହାରିବାକୁ କହି ଫେରାଇ ଦେଇଥିଲା। ହେଲେ କେତେକ ଲୋକେ ପୁଲିସ ସହ ଯୁକ୍ତିତର୍କ କରି ଅପ୍ରିତିକର ପରିସ୍ଥିତି ସୃଷ୍ଟି କରିଥିଲେ। ଏପରିକି ରାସ୍ତା ଛାଡିବାକୁ ନେଇ ଲୋକେ ପୁଲିସକୁ ଗାଳିଗୁଲଜ କରିଥିଲେ। ପରେ ପୁଲିସ କଠୋର ଅଭିମୁଖ୍ୟ ଗ୍ରହଣ କରିଥିଲା। ବିନାକାରଣରେ ବାହାରକୁ ଆସିଲେ ଲୋକଙ୍କୁ ଉଠବସ କରିବା ସହ ମାଡ ମାରିଥିଲା। ପରେ ଅମାନିଆ ଗାଡି ଚାଳକମ।।ନେ ଘରୁ ବାହାରିନଥିଲେ। ସେହିପରି ମୁଖ୍ୟମନ୍ତ୍ରୀ ବାରମ୍ବାର ଅନୁରୋଧ କରିବା ସହ ପ୍ରଶାସନ ପକ୍ଷରୁ ସଚେତନ କରାଯାଇଥିଲା। ପରେ ଲୋକେ କିଛି ମାତ୍ରାରେ ଏହାକୁ ବୁଝିପାରିଛନ୍ତି।